ରାଜ୍ୟରେ ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ସଚୋଟ୍ଟତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଚଳିତ ବର୍ଷର ଥିମ୍ ରହିଛି ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ’।ଏହି କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ଚାଲିବ। ଆଜି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି ।

ଏହି ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଓଡ଼ିଶା ଜନସାଧାରଣଙ୍କୁ ଦୁର୍ନୀତି ବିରୋଧୀ ଅଭିଯାନ ଓ ସାଧାରଣ ଜୀବନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ବଜାୟ ରଖିବା ନିମନ୍ତେ ସକ୍ରିୟ ଭାବେ ଯୋଗଦାନ କରିବାକୁ ଆହ୍ବାନ କରୁଛି। ଆମ ସରକାର ଦୁର୍ନୀତି ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛି। ଜନସାଧାରଣଙ୍କୁ ଦୁର୍ନୀତିମୁକ୍ତ ସେବା ଯୋଗାଇ ଦେବା ସହିତ ବିକାଶ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରଶାସନିକ ବ୍ୟବସ୍ଥା ତଥା ମୌଳିକ ସେବା ପ୍ରଦାନକୁ ଦୁର୍ନୀତିମୁକ୍ତ କରିବା ପାଇଁ ଅନୁସୃତ ହେଉଥିବା ୫-ଟି ଉପକ୍ରମ ସ୍ବଚ୍ଛତାକୁ ପ୍ରାଥମିକା ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ‘ଏହି ଅବସରରେ ମୁଁ ଆମ ରାଜ୍ୟରର ଦୁର୍ନୀତି ନିବାରଣ ବିଭାଗକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ଅଭିନନ୍ଦନ ଜଣାଉଛି। ରାଜ୍ୟର ପ୍ରତ୍ୟେକ ଜନସେବକ ସର୍ବାଧିକ ସାଧୁତା ଓ ସ୍ବଚ୍ଛତା ସହିତ ଜନତାଙ୍କ ସେବା କରିବା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବା ନିମନ୍ତେ ଦୃଢ଼ ଆଶା ପୋଷଣ କରୁଛି। ଦୁର୍ନୀତିକୁ ଦୂର କରିବା ପାଇଁ ବ୍ୟାପକ ଓ ସମନ୍ବିତ ଉଦ୍ୟମ ଆବଶ୍ୟକ। ଏହି ପ୍ରକ୍ରିୟାରେ ସମାଜର ସମସ୍ତ ବର୍ଗର ଅକୁଣ୍ଠ ସମର୍ଥନ ଓ ସହଯୋଗ ଅତ୍ୟନ୍ତ ଜରୁରୀ। ଆସନ୍ତୁ ଏକ ବିକଶିତ ତଥା ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା।’

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ୫ଟି ଏବଂ ମୋ ସରକାର ସ୍ଥାପିତ ହେବା ସହିତ ଅଧିକାଂଶ ସେବା ବର୍ତ୍ତମାନ ଅନଲାଇନରେ ଦିଆଯାଉଛି। ଲୋକମାନେ ସରକାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ କରନ୍ତି ନାହିଁ । ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସ୍ୱଚ୍ଛତାକୁ ଉନ୍ନତ କରିଛି । ରାଜ୍ୟ ସଚେତନତା ଅତ୍ୟନ୍ତ ବୃତ୍ତିଗତ ଭାବେ ଚାଲିଛି।ରାଜ୍ୟ ଭିଜିଲାନ୍ସ ଏକାଡେମୀ ହେଉଛି ଦେଶର ସର୍ବଶ୍ରେଷ୍ଠ ଏକାଡେମୀ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜ୍ୟର ଆଭ୍ୟନ୍ତରୀଣ ସଜାଗତା ପ୍ରଣାଳୀକୁ ଦୃଢ କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ।

Related Posts