ବିଜେଡି ପାଇଁ ସତର୍କ ଘଣ୍ଟି : ବଢ଼ୁଛି ମହିଳାଙ୍କ ମେଳି

ସତ୍ୟପାଠ ବ୍ୟୁରୋ : ମିଶନ ମୋଡରେ ଚାଲିଥିବା ମଦ ବେପାର ପାଇଁ ୨୦୧୯ରେ ଖୋଦ୍ ସରକାରର ମଦମୃତ୍ୟୁ ହେବାର ସଙ୍କେତ ଦେଖାଦେଲାଣି । ୨୦୦୦ ମସିହାରେ ନବୀନ ବାବୁଙ୍କର ବିଜୁ ଜନତା ଦଳ ଓଡିଶାରେ ପ୍ରଥମ ଥର ପାଇଁ ଶାସନ ଭାର ଗ୍ରହଣ କଲା । ୨୦୦୧-୦୨ରେ ମଦ ବିକ୍ରିରୁ ରାଜସ୍ୱ ଆସୁଥିଲା ୧୯୬ କୋଟି ଟଙ୍କା । ଯାହା ୨୦୧୭-୧୮ରେ ବୃଦ୍ଧି ପାଇ ୩୪୦୦କୋଟି ଛୁଇଁଛି । ଏପରିକି ମଦ ବିକ୍ରିକୁ ବ୍ୟାପକ କରିବା ପାଇଁ ଆଇନରେ ପରିବର୍ତ୍ତନ କରି ଲାଇସେନ୍ସ ଦେବାର କ୍ଷମତା ଅବକାରୀ କମିଶନରଙ୍କ ଠାରୁ ଛଡାଇ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ।

ଖାଲି ଏତିକି ନୁହେଁ, ଓଡିଶା ବୋଧହୁଏ ଦେଶର ଏକମାତ୍ର ରାଜ୍ୟ ଯେଉଁଠି ସରକାର ମଦ ନିଗମ ଖୋଲି ମନୋପଲୀ ହୋଲସେଲ ଡିଲର ଭଳି କାର୍ଯ୍ୟ କରୁଛନ୍ତି । ମଦବିକ୍ରି ବୃଦ୍ଧି ନେଇ ଓଡିଶା ସରକାରଙ୍କର ଆଗ୍ରହ ଓ ତତ୍ପରତା କେବଳ ଜନବିରୋଧୀ ନୁହେଁ, ସମ୍ବିଧାନର ମଧ୍ୟ ବିରୁଦ୍ଧାଚରଣ କରୁଛି । ସିଧାସଳଖ ସମ୍ବିଧାନର ଧାରା-୪୭ର ଖୋଲା ଉଂଲଘନ କରୁଛି ନବୀନ ସରକାରର କାର୍ଯ୍ୟ । ହେଲେ ରାଜସ୍ୱ ମାୟାରେ ବାୟା ବିଜେଡି ସରକାରର ପର୍ବାୟ ନାହିଁ । କିନ୍ତୁ ସରକାରଙ୍କର ଏହି ମଦବିକ୍ରି ପ୍ରତି ଅତ୍ୟଧିକ ମୋହ ଓ ମାୟା ପଛରେ ପ୍ରାୟ ସମସ୍ତଙ୍କ ଅଲକ୍ଷ୍ୟରେ ଦାନା ବାନ୍ଧୁଛି ଏକ ବିରାଟ ଜନ ଅସନ୍ତୋଷ ।

ସରକାର ମଦ ପାଇଁ ଏଭଳି ଅନ୍ଧ ହେଲେ ଯେ, ନିରୀହ ନିରସ୍ତ୍ର ମହିଳାଙ୍କ ଉପରେ ଗୁଳି ଚଳାଇଲେ । ଏ ଘଟଣା ମଧ୍ୟ ସ୍ୱାଧିନତା ପରବର୍ତ୍ତୀ ଦେଶର ବିରଳ ଦୁଃଖଦ ଘଟଣା । ଏ ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନମତରା ଗାଁର । ତିନିବର୍ଷ ପୁରିଲା ଆରଡିସି ତଦନ୍ତ ରିପୋର୍ଟ ମଧ୍ୟ ଦେଇ ପାରିଲେ ନାହିଁ ।

ଏବେ ଓଡିଶାରେ ଗାଁ ଗାଁରେ ମଦ ବିରୋଧରେ ମହିଳାଙ୍କ ମେଳି ବଢ଼ିବାରେ ଲାଗିଲାଣି । ଯାହାକି ବିଜୁ ଜନତା ଦଳ ସରକାର ପାଇଁ ଏକ ବିପଦଜନକ ସଙ୍କେତ ।

ମଦକୁ ନେଇ ନବୀନ ବାବୁଙ୍କ ସରକାରର ଆଉ ଏକ ଉଲ୍ଲେଖନୀୟ ଉପଲବ୍ଧି ହେଲା ସରକାରୀ ହିସାବରେ ରାଜ୍ୟରେ ଅଭ୍ୟାସଗତ ମଦୁଆଙ୍କ ସଂଖ୍ୟା ହେଲା ମୋଟ ଜନସଂଖ୍ୟାର ୪୧ ପ୍ରତିଶତ । ବେସରକାରୀ ଭାବେ ଏହା ପ୍ରାୟ ୬୦ ପ୍ରତିଶତ ହେବ ବୋଲି ମତପ୍ରକାଶ ପାଇଛି । ଗତ ୧୧ ଡିସେମ୍ବର ୨୦୧୭ ମସିହାରେ ରାଜ୍ୟର ଅବକାରୀ ମନ୍ତ୍ରୀ ଶଶୀଭୁଷଣ ବେହେରା ବିଧାନସଭା ଗୃହରେ ସରକାରୀ ମଦୁଆଙ୍କ ସଂଖ୍ୟା ୪୧ ପ୍ରତିଶତ ବୋଲି ସ୍ୱୀକାର କରିଛନ୍ତି ।

ଭୋଟ ହାତେଇବା ପାଇଁ ଓ ବିଭିନ୍ନ କ୍ଷେତ୍ରରେ ଲୋକଙ୍କର ଆକ୍ରୋଶକୁ ଚାପିବା ପାଇଁ ନବୀନ ବାବୁ ଏବେ ହରିଶ୍ଚନ୍ଦ୍ରଙ୍କ ଅବତାର ଗ୍ରହଣ କରିଛନ୍ତି । ରାଜସ୍ୱ ସମ୍ବଳ ନଥାଇ ଜନପ୍ରିୟ ହେବା ପାଇଁ ଗଣ୍ଡା ଗଣ୍ଡା ମାଗଣା ଓ ଲୋଭନୀୟ ସ୍କିମ୍ ଜରିଆରେ ସରକାରୀ ସମ୍ପତ୍ତିରେ ଯେଉଁ ସଙ୍କୀର୍ତ୍ତନ ଆସର ଚଳାଇଛନ୍ତି ସେଥିରେ ଉପସ୍ଥାନ ବଢ଼ାଇବା ପାଇଁ ଏବେ ନବୀନ ବାବୁଙ୍କ ସାହାଣମେଲା । ଚାଷୀ ଠାରୁ ଆରମ୍ଭ କରି ଶିକ୍ଷକ, ଅଙ୍ଗନୱାଡି କର୍ମୀ ଠାରୁ ସରକାରୀ କର୍ମଚାରୀ, ବୃଦ୍ଧବୃଦ୍ଧାଙ୍କ ଠାରୁ ନେଇ ଛୋଟପିଲା, ସମସ୍ତଙ୍କ ପାଇଁ ଆକର୍ଷଣୀୟ ସ୍କିମ୍ । କିନ୍ତୁ ଏ ସବୁର ପ୍ରଛଦପଟରେ ଓ ନବୀନ ବାବୁଙ୍କ ଅଲକ୍ଷ୍ୟରେ ମୁଣ୍ଡ ଟେକୁଛି ମଦ ବିରୋଧୀ ଆନ୍ଦୋଳନ । ଯଦିଓ ଏହା ନୂଆ ନୁହଁ କିନ୍ତୁ ମଦ ବିରୋଧୀ ଆନ୍ଦୋଳନ ନିର୍ବାଚନ ଫଳାଫଳ ଉପରେ ସେଭଳି ପ୍ରଭାବ ପକାଇବ ନାହିଁ ବୋଲି ନବୀନ ବାବୁଙ୍କର ଆକଳନ ।

ରାଜନୈତିକ ସମୀକ୍ଷକଙ୍କର ମତ ହେଲା ଏ ସମସ୍ତଙ୍କ ପାଇଁ ଯୋଜନା କରି ଦେଇଛନ୍ତି ନବୀନ, ତଥାପି ଉଣେଇଷରେ ନିସ୍ତାର ପାଇ ନପାରନ୍ତି ବୋଲି ସେମାନଙ୍କର ମତ । କାରଣ ମଦ ହିଁ ମାରିବ ମାନ୍ୟବରଙ୍କ ସରକାର । ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଆର୍ଥିକ ସହାୟତା, ମୋବାଇଲ ଫୋନ ଭଳି ଯେତେଯାହା ବାଂଟନ୍ତୁ ନା କାହିଁକି, ମଦ ପାଇଁ ଏବେ ସରକାରଙ୍କ ଉପରେ ଖପ୍ପା ମହିଳା । ଏପରିକି ବିଜେଡିର କିଛି ବରିଷ୍ଠ ନେତାଙ୍କର ଆଶଙ୍କା ଯେ ନବୀନଙ୍କ ୨୦ବର୍ଷର ତପସ୍ୟା ନାଲିପାଣିରେ ହିଁ ମାରା ଯିବ । କିଛି ସମୀକ୍ଷକଙ୍କର କହିବା କଥା, ୨୦୧୯ ନିର୍ବାଚନରେ ମଦ ହିଁ ହେବ ଗେମ୍ ଚେଂଜର । କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟ ବିରୋଧୀ କଂଗ୍ରେସ ଓ ଭାଜପା ଏଯାଏ ମଦକୁ ନେଇ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ପାରିଲେ ନାହିଁ ।

Related Posts