ଆଗରେ ଅପରାଜିତା

ସତ୍ୟପାଠ ବ୍ୟୁରୋ : ଭାରତୀୟ ଜନତା ପାର୍ଟିରେ ଅବସରପ୍ରାପ୍ତ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଯୋଗଦେବା ଦିନରୁ ଯେମିତି ସେ ଚର୍ଚ୍ଚାରୁ ହଟୁ ନାହାଁନ୍ତି । ଦଳରେ ଯୋଗଦେଇ ଯେତିକି ଚର୍ଚ୍ଚାରେ ଥିଲେ ତା ଠୁ ବେଶୀ ଚର୍ଚ୍ଚାରେ ଏବେ ଦଳରେ ତାଙ୍କର ପହଂଚ ବା ପ୍ରଭାବକୁ ନେଇ । ଦଳ ଭିତରେ ତାଙ୍କର ଏତେ ପ୍ରଭାବ ରହିଛି ଯେ, ସେଠିକାର ଟିକିନିଖି ଅପଡେଟ୍ ସାଂସଦ ଷଢ଼ଙ୍ଗୀଙ୍କୁ ପ୍ରଥମେ ମିଳୁଛି । ଏହାକୁ ଖୋରାକ୍ ଯୋଗାଇଛି ଗତକାଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ବୟାନ ।

ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ଗଣମାଧ୍ୟମରେ କହିଥିଲେ ଅପରାଜିତା ଷଢ଼ଙ୍ଗୀ ହିଁ ତାଙ୍କୁ ପ୍ରଥମେ ଏହି ସୂଚନା ଦେଇଥିଲେ । ଅର୍ଥାତ ରାଷ୍ଟ୍ରପତି ଭବନରୁ ମୋହର ମରାଯିବା ପରେ ମିଡିଆକୁ ପ୍ରେସରିଲିଜ ଆସିବା ପୂର୍ବରୁ ଏହି ଖବର ପାଇଥିଲେ ଶ୍ରୀମତି ଷଢ଼ଙ୍ଗୀ । ପାଠକଙ୍କର ମନେଥିବା ଯେଉଁଦିନ ପ୍ରତାପ ଷଢ଼ଙ୍ଗୀଙ୍କୁ ମନ୍ତ୍ରୀପଦ ମିଳିଲା, ସେ ମଧ୍ୟ ସମାନ କଥା କହିଥିଲେ । ମନ୍ତ୍ରୀ ହେବା ନେଇ ପ୍ରତାପଙ୍କୁ ଫୋନ କଲ ଆସିଲାଣି କି ନାହିଁ ପଚାରିଥିଲେ ଅପରାଜିତା । ଯାହା ମନ୍ତ୍ରୀ ହେବା ପରେ କହିଥିଲେ ପ୍ରତାପ ।

କେନ୍ଦ୍ର ସରକାରଙ୍କ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପ୍ରଶାସିକା ଭାବେ କାମ କରୁଥିଲେ ଅବସରପ୍ରାପ୍ତ ଆଇଏଏସ୍ ଅପରାଜିତା ଷଢ଼ଙ୍ଗୀ । ତେଣୁ ସେ ଦୃଷ୍ଟିରୁ ବିଭିନ୍ନ ବିଭାଗରେ ତାଙ୍କର ପରିଚିତି ଭଲ ଥିବ ନିଶ୍ଚୟ । ଏପରିକି ମନରେଗା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେ ପ୍ରିୟଭାଜନ ହୋଇପାରିଥିବାରୁ ଅନ୍ୟମାନଙ୍କ ଅପେକ୍ଷା ତାଙ୍କର ପହଂଚ ଅଧିକ ଥିବ । ସେ ଦୃଷ୍ଟିରୁ ତାଙ୍କ ପାଖରେ ଆଗୁଆ ଖବର ପହଂଚୁଥିବା କୁହାଯାଇପାରେ ।

ଦୀର୍ଘବର୍ଷର ପ୍ରଶାସନିକ ଅଭିଜ୍ଞତା ଓ ସୁସମ୍ପର୍କ ଫଳରେ କେନ୍ଦ୍ର ସରକାରରେ ଘଟୁଥିବା ସବୁ ବଡ ଖବର ଅପରାଜତା ପାଇ ପାରୁଛନ୍ତି । ଯାହା ଦ୍ୱାରା ସେ ରାଜ୍ୟ ନେତାମାନଙ୍କ ଠାରୁ ଆଉ ଦୁଇ ପାଦ ଆଗରେ ରହି ପାରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Posts