ଇଡିରେ ହଜାର ହେଲେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଚାଟାର୍ଡ ଏକାଉଣ୍ଟାଣ୍ଟ

ଭୁବନେଶ୍ଵର,୬/୧(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଚାଟାର୍ଡ ଏକାଉଣ୍ଟାଣ୍ଟ। ଏହାସହିତ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ପାତ୍ର ବି ଇଡିରେ ହାଜର ହୋଇଛନ୍ତି। ଏମାନଙ୍କୁ ଟଙ୍କା କାରବାର ନେଇ ଜେରା କରୁଛି ଇଡି। ସସ୍ମିତା ହେଉଛନ୍ତି ଖଗେଶ୍ୱରଙ୍କ ସୁପ୍ରିମ ଅଟୋ ମୋବାଇଲରେ ୫୦% ପାର୍ଟନର। ଏହି କାରଣରୁ ତାଙ୍କୁ ଇଡି ଡାକି ଖୋଳତାଡ଼ କରୁଥିବାର ସୂଚନା ରହିଛି।

ସେପଟେ ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଇଡିର ୪ ଜଣିଆ ଟିମ୍ ଓ ଭାଲ୍ୟୁଏସନ୍ ଟିମ୍ ସହିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ୍ ଆରମ୍ଭ କରିଛନ୍ତି। କେତେ ବର୍ଗଫୁଟର ଜମି ଓ ବିଲଡିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ଆକଳନ କରିବା ଆରମ୍ଭ କରିଛି ଇଡି। କେବଳ ଜମି ଓ ବିଲଡିଂ କାହିଁକି ଘର ଭିତରେ ଥିବା ସମସ୍ତ ଆସବାବପତ୍ରର ମଧ୍ୟ ମୂଲ୍ୟ ଆକଳନ କରାଯାଇଛି। ଖୁବ୍ ଶୀଘ୍ର ଏସବୁ ରିପୋର୍ଟ ଇଡିର ଅଧିକାରୀମାନେ ଦିଲ୍ଲୀ ପଠାଇବେ। ଦିଲ୍ଲୀରୁ ଅନୁମତି ଆସିବା ପରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଖଗେଶ୍ବରର ନିର୍ମା‌ଣାଧୀନ ବିଲଡିଂ ଓ ଜମିର ମଧ୍ୟ ମୂଲ୍ୟ ଆକଳନ କରିଛି ଇଡି।

ଗୁରୁବାର ଦିନ ପ୍ରାୟ ୪ଟାବେଳେ ଇଡିର ଏକ ସ୍ବତନ୍ତ୍ର ଟିମ୍ ସତ୍ୟବିହାରଠାରେ ଥିବା ଅର୍ଚ୍ଚନା ଘରେ ପହଞ୍ଚିଥିଲେ। ଇଡିର ଅଧିକାରୀମାନଙ୍କ ସହିତ ଦୁଇ ଜଣ ଭାଲ୍ୟୁଏସନ ଟିମ୍ ମଧ୍ୟ ଯାଇଥିଲେ। ତୁରନ୍ତ ସେମାନେ ଫିତା ପକାଇ ଜାଗାର ସ୍କୋୟାରଫୁଟ ବାହାର କରିଥିଲେ। ପରେ ଭିତରକୁ ପଶି ଘର ଭିତରର ମାପ ମଧ୍ୟ ନେଇଥିଲେ। ସେହିପରି ଘର ଭିତରେ ସମସ୍ତ ଆସବାବପତ୍ର, ଝୁମର ଆଦିର ମୂଲ୍ୟ ଆକଳନ କରିଛନ୍ତି। ସେହିପରି ଛାତ ଉପରେ ଥିବା ସୁଇମଂପୁଲ ନିର୍ମାଣରେ କେତେ ଟଙ୍କା ଖର୍ଚ ହୋଇଛି ତାର ମଧ୍ୟ ହିସାବ ବାହାର କରିଛନ୍ତି। ଅର୍ଚ୍ଚନାଙ୍କ ଆଲିସାନ ବଙ୍ଗଳାର ଦାମ କେତେ ସେଥିପାଇଁ ଆମେ ଆସିଛୁ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଇଡିର ଆଉ ଏକ ଟିମ୍ ଗତକାଲି ଝାରପଡ଼ା ଜେଲ ଯାଇ ତାଙ୍କ ପତି ଜଗବନ୍ଧୁଙ୍କୁ ଜେରା କରିଛି। ସକାଳ ପ୍ରାୟ ୧୧ ଟାବେଳେ ଇଡିର ଏକ ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଜେରା କରିଥିଲା। ମନି ଲଣ୍ଡରିଂ ମାମଲାରେ ଇଡି ଆଉ କିଛି ପ୍ରମାଣ ପାଇବା ପରେ ତାଙ୍କୁ ଜେଲରେ ପଚରା ଉଚରା କରିବାକୁ ଚାହିଁଥିଲା। ତେଣୁ ଏ ନେଇ ଇଡି କୋର୍ଟରେ ଆବେଦନ କରିଥିଲା। କୋର୍ଟ ଅନୁମତି ଦେବା ପରେ ବୁଧବାର ଇଡି ଝାରପଡ଼ା ଜେଲରେ ଅର୍ଚ୍ଚନାକୁ ଜେରା କରିଥିଲା।

Related Posts