ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବନ୍ଦ ହେବାକୁ ନେଇ ଆପତ୍ତି ଉଠାଇଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନଏଫଏସଏ) ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିଲା। ହେଲେ ଦୁର୍ଭାଗ୍ୟର ବିଷୟ ୧୦ କେଜି ଚାଉଳରୁ ୫ କେଜି ଚାଉଳକୁ କେନ୍ଦ୍ର ସରକାରଙ୍କ ଦ୍ଵାରା କାଟି ଦିଆଯାଇଛି।
ସସ୍ମିତ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରି ଦିଆଗଲା, ଯାହା ଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ପରିବାର କେବଳ ହଇରାଣ ହେଲେନି, ଚାଷୀ ଭାଇମାନେ ବି ହନ୍ତସନ୍ତ ହେଉଛନ୍ତି। ଚାଷୀମାନେ ଏହି ଯୋଜନାରେ ଉପକୃତ ହେଉଥିଲେ। ସେପଟେ କୋଭିଡ ମହାମାରୀ ପରେ ଜୀବନଜୀବିକା ଏଯାଏଁ ସ୍ୱାଭାବିକ ହୋଇନି । ଅନେକ ଲୋକ ଏବେ ବି ଆର୍ଥିକ ବୋଝରେ ଯୁଝି ହେଉଛନ୍ତି । କିନ୍ତୁ କେନ୍ଦ୍ର ଏହାକୁ ଦୃଷ୍ଟିରେ ନରଖି ସିଧାସଳଖ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିଛନ୍ତି । କିନ୍ତୁ ଏହା କେତେ ଲୋକଙ୍କୁ ଯେ ଭୟଙ୍କର ଭାବେ ପ୍ରଭାବିତ କରିବ ତାହା କେନ୍ଦ୍ର ସରକାର କେବେ କଳ୍ପନା ମଧ୍ୟ କରିନାହାନ୍ତି । ଓଡ଼ିଶାର ଅନେକ ପରିବାର ଏହି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିଲେ ବି ସେମାନେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି, କାରଣ କେନ୍ଦ୍ର ସରକାର ପୁରୁଣା ତାଲିକାକୁ ନେଇ ଚାଲୁଛନ୍ତି। ଆମେ ହିତାଧିକାରୀମାନଙ୍କୁ ଯୋଡ଼ିବାକୁ ଚାହୁଁଥିଲେ ବି ହୋଇ ପାରୁନି। ଏଇ ମାସରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆରମ୍ଭ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ବିଜୁ ଜନତା ଦଳ ପକ୍ଷରୁ ଦାବି କରିଛନ୍ତି।
