ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ ଭାର ହାତକୁ ନେଇଛି ଓ ଖୋଳତାଡ ଆରମ୍ଭ କରିଛି। ବ୍ୟାଙ୍କ ଆାକାଉଣ୍ଟ ଖୋଳତାଡ଼ ପରେ ଏବେ ଯେଉଁମାନେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସମ୍ପର୍କରେ ଆସିଥିଲେ ବିଶେଷ କରି ଦୁହିଁଙ୍କ ଆର୍ଥିକ କାରବାର ସହିତ ସଂପୃକ୍ତ ଥିଲେ ସେମାନଙ୍କ ତାଲିକା ପ୍ରସ୍ତୁତି କରିବା ଆରମ୍ଭ କରିଛି।ଖୁବଶୀଘ୍ର ସେମାନଙ୍କୁ ନୋଟିସ୍ କରାଯିବ। ନୋଟିସ ପାଇବା ପରେ ସେମାନେ ସମସ୍ତେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ତଥ୍ୟ ରଖିବେ। ଅନ୍ୟପକ୍ଷରେ ଫେରାର ଥିବା ଜଗବନ୍ଧୁଙ୍କ ସାଙ୍ଗ ଖଗେଶ୍ବର, ଶ୍ରଦ୍ଧାଞ୍ଜଳୀଙ୍କୁ ଇଡି ନୋଟିସ୍ କରିଛି। ଖୁବ୍ଶୀଘ୍ର ଜଣକ ପରେ ଜଣେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିବେ। ଯଦି କେହି ମତ ରଖିବାକୁ ଇଡି କାର୍ଯ୍ୟାଳୟ ନ ଆସିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ଇଡି ପକ୍ଷରୁ ଅର୍ଚ୍ଚନା ନାଗ ମାମଲା ହାତକୁ ନିଆଯିବା ପରେ ପ୍ରଥମେ ଅର୍ଚ୍ଚନା ଓ ଜଗବବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ଆରମ୍ଭ କରିଥିଲା। କମିସନରେଟ ପୁଲିସଠାରୁ ହସ୍ତଗତ ହୋଇଥିବା ବ୍ୟାଙ୍କ ତଥ୍ୟକୁ ନେଇ ଇଡିର ଅଧିକାରୀମାନେ ମଧ୍ୟ ପୁଣି ଥରେ ଯାଞ୍ଚ ଆରମ୍ଭ କରିଛନ୍ତି। ଇଡିର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଅର୍ଚ୍ଚନା ଯେଉଁ ସବୁ କାରବାର କରିଛନ୍ତି ତାହା ସବୁ ନଗଦରେ। ଅର୍ଥାତ ଅର୍ଚ୍ଚନା ଯାହାକୁ ଟଙ୍କା ଦେଇଛନ୍ତି ସେ ସବୁ ନଗଦରେ। କିନ୍ତୁ ବିଭିନ୍ନ ସମୟରେ ଅନ୍ୟଠାରୁ ଏଟିଏଏମ ମାଧ୍ୟମରେ ଆଣିଛନ୍ତି। ଅର୍ଚନାଙ୍କ ଦାମୀ କାର ଓ ବାଇକ, ଘଣ୍ଟା ଭଳି ଜିନିଷପତ୍ର ନଗଦରେ କିଣିଛନ୍ତି। ତାହା ଜାଣିବାକୁ ମଙ୍ଗଳବାର ଇଡିର ଏକ ଟିମ୍ ବିଭିନ୍ନ କାର ଓ ବାଇକ ସୋରୁମ୍ ଯାଇ ଖୋଳତାଡ଼ କରିଛନ୍ତି। ଯେହେତୁ ଏ ସବୁ କାରବାର ନଗଦରେ ହୋଇଛି, ତେଣୁ ଇଡି ମଧ୍ୟ ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ ନୋଟିସ୍ କରିପାରେ। ସେହିପରି ଉକ୍ତ ସୋରୁମରେ ଖୁବ୍ ଶୀଘ୍ର ଜିଏସଟି ଚଢ଼ଉ କରାଯିବ ବୋଲି ସୂତ୍ରରୁ ସୂଚନା ମିଳିଛି। ଗତକାଲି ଜିଏସଟି ପକ୍ଷରୁ ଜଳେଶ୍ବର ଅଞ୍ଚଳରେ ଥିବା ଏକ ପୁରୁଣା କାର ସୋରୁମରେ ଚଢ଼ଉ କରାଯାଇଥିଲା। ଏଥିରେ ଜଗବନ୍ଧୁଙ୍କ ଟଙ୍କା ନିବେଶ ହୋଇଥିବା ଇଡି ଜାଣିବାକୁ ପାଇଥିଲା। କିନ୍ତୁ ଇଡି ଏ ନେଇ ଯଥେଷ୍ଟ ପ୍ରମାଣ ପାଇନାହିଁ।
ତେବେ ଇଡିର ଏଭଳି ଚଢ଼ଉ ନୋଟିସ୍ ପରେ ଏବେ ଅର୍ଚନାଙ୍କ ସମ୍ପର୍କରେ ଥିବା ରାଜନେତାଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଛି। କାରଣ ସେମାନେ ଅର୍ଚନାଙ୍କ ସହିତ ସିଧା ସଳଖ ସମ୍ପର୍କରେ ଥିଲେ। ରାଜ୍ୟରେ ହେଉଥିବା ଟେଣ୍ଡର ଫିକ୍ସିଂ, ବଦଳି, ଠିକାଦାର ଭଳି କାର୍ଯ୍ୟରେ ଅର୍ଚନା ନେତାଙ୍କ ମାଧ୍ୟମ ଥିଲେ। ଅର୍ଚନାଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା କାରବାର ହେଉଥିଲା। ତେଣୁ ଇଡିର ଛଞ୍ଚାଣ ଆଖି ଏବେ ସେହି ରାଜନେତାଙ୍କ ଉପରେ। ଇଡି ସେମାନଙ୍କ ସମ୍ପର୍କରେ ଖୋଳତାଡ଼ କରୁଥିବା ଜାଣିବା ପରେ ରାଜନେତାଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଖଣି ଦୁର୍ନୀତିରେ ସିବିଆଇ ତଦନ୍ତ ଭଳି ଏବେ ଅର୍ଚନା ନାଗ ମାମଲାରେ ଇଡିର ତଦନ୍ତ ଭାରି ପଡ଼ିବାକୁ ବସିଲାଣି। କେତେବେଳେଳ ସେମାନଙ୍କ ଇଡି ନୋଟିସ୍ କରିବ ତାକୁ ନେଇ ଅନେକ ଆତଙ୍କିତ ଅବସ୍ଥାରେ ଅଛନ୍ତି।
