ଇଟାନଗର: ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଘଟଣାରେ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ, ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଛି । ହେଲିକପ୍ଟରରେ ଥିବା ଅନ୍ୟ ୩ ଜଣଙ୍କ ମିଳିପାରିନି ସନ୍ଧାନ । ଅପର ସିଆଙ୍ଗ ଜିଲ୍ଲା ଅନ୍ତର୍ଗତ ମିଙ୍ଗିଙ୍ଗ ଗ୍ରାମ ନିକଟରେ ହେଲିକପ୍ଟର କ୍ରାସ ହୋଇଛି ।

ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବାବେଳେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଜି ସକାଳେ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ଏଚଏଏଲ ରୁଦ୍ର ଉଡ଼ାଣ ଭରୁଥିବାବେଳେ ଏହା ମିଙ୍ଗିଙ୍ଗଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ସେଠାକୁ ସେନାର ଏକ ରେସ୍କ୍ୟୁ ଟିମ୍ ପଠାଯାଇ ଉଦ୍ଧାର କାର୍ଯ୍ୟ କରାଯାଇଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ନିର୍ମିତ ରୁଦ୍ର ଭାରତୀୟ ସେନାର ଏକ ଲଢୁଆ ହେଲିକପ୍ଟର ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ ପ୍ରାଣ ହରାଇଥିଲେ ।