କୃଷି ସଚିବଙ୍କ ବିରୋଧରେ ଗିରଫ ପରୱାନା,ପଢ଼ନ୍ତୁ କାହିଁକି …

ସତ୍ୟପାଠ ବ୍ୟୁରୋ : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗଙ୍କ ବିରୋଧରେ ଗିରଫ ପରୱାନା ଜାରୀ ହୋଇଛି । ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ) ଅଦାଲତ ଅବମାନନା ମାମଲାର ଶୁଣାଣୀ କରି ଏହି ଗିରଫ ପରୱାନା ଜାରୀ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗୁରୁଚରଣ ସାମଲଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣୀ କରି ଓସିଏସ୍ (ପେନସନ) ରୁଲ୍ସ, ୧୯୯୨ ଅନୁସାରେ ଆବେଦନକାରୀ ପେନସନ ପାଇଁ ଯୋଗ୍ୟ ବୋଲି ସ୍ୟାଟ ନିର୍ଦ୍ଦେଶ ଦେଇଥିଲେ । ତେବେ ୨୭ ଏପ୍ରିଲ ୨୦୧୭ର ଏହି ନିର୍ଦ୍ଦେଶ ସରକାର ଚାରିମାସ ଭିତରେ କାର୍ଯ୍ୟକାରୀ ନ କରିବାରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା ।

ଅଦାଲତ ଅବମାନନା ମାମଲାର ଶୁଣାଣୀ କରି କୃଷି ସଚିବଙ୍କୁ ୨୦୧୯ ଜୁନ ୨୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ । ଜୁନ ୨୦ରେ ଏଥିପାଇଁ କୃଷି ସଚିବଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା । ଜୁନ ୨୦ରେ ମାମଲାର ଶୁଣାଣି କରି ସ୍ୟାଟ କୃଷି ସଚିବଙ୍କୁ ପରବର୍ତ୍ତୀ ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନାର ଚାର୍ଜ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଜୁନ୍ ୨୦ର ଏପରି ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ କୃଷି ସଚିବଙ୍କ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। ଶୁକ୍ରବାର ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏ ପର‌୍ୟ୍ୟନ୍ତ ସ୍ୟାଟଙ୍କ ପୂର୍ବ ନିର୍ଦ୍ଦେଶ କାର‌୍ୟ୍ୟକାରୀ କରାଯାଇ ନାହିଁ। ଏପରି ପରିସ୍ଥିତିରେ ଖଣ୍ଡପୀଠ କୃଷି ସଚିବଙ୍କ ପିଟିସନ୍ ଅଗ୍ରାହ୍ୟ କରିବା ସହିତ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନିଧି ମହାନ୍ତି, ଅସିତ କୁମାର ଜେନା ଓ ତ୍ରୈଲୋକ୍ୟନାଥ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

Related Posts