ଅରୁଣାଞ୍ଚଳପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାଁରେ ୨୦୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ବିରୋଧ ପ୍ରଦର୍ଶନ କରୁଥିବା ୧୦୦ ଜଣଙ୍କୁ ଅଟକ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଅରୁଣାଞ୍ଚଳପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଏହାର ଚର୍ଚ୍ଚା ଜୋର ଧରିଲା । ଏପରିକି ଠକେଇ ଅଭିଯୋଗ କରାଯିବା ପରେ ବିରୋଧ କରୁଥିବା ୧୦୦ ଜଣଙ୍କୁ ଅଟକ ରଖିଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ଅଟକ ରଖିଥିବା ଲୋକଙ୍କ ମଧ୍ୟରୁ ୨୫ ଜଣଙ୍କ ନାଁରେ ୟୁଏପିଏ ଅଧିନରେ ମାମଲା ରୁଜୁ କରାଯାଇଛି । ସେପଟେ ରାଜ୍ୟର ଆଦିବାସୀ ଯୁବ ଗୋଷ୍ଠୀ ଅଲ୍ ନୟାଶି ୟୁଥ୍ ଆସୋସିଏସନ୍ ସିଏମ୍ ପେମା ଖଣ୍ଡୁଙ୍କୁ ଦୁଇ ହଜାର କୋଟି ଟଙ୍କାର ସରକାରୀ ପାଣ୍ଠିରୁ ଜାଲିଆତି କରିଥିବା ଅଭିଯୋଗ କରିଥିଲେ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଥିଲା, କିନ୍ତୁ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଆସୋସିଏସନ ପକ୍ଷରୁ ୩୬ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଥିଲା ।

ଯାହାକୁ ସରକାର ବେଆଇନ ଘୋଷଣା କରିଥିଲେ। ଏପରିକି ଏହି ଧର୍ମଘଟକୁ ବନ୍ଦ କରିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ପ୍ରଥମେ ଏହା ବେଆଇନ ଘୋଷିତ ହୋଇଥିବାବେଳେ ଇଟାନଗର ସମେତ ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ରହିଥିଲା। ଏହା ସତ୍ତ୍ୱେର୍ ଧର୍ମଘଟ ହୋଇଥିଲା। ଯାହା ପରେ ୧୦୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିଲା। ଅଟକ ରଖାଯାଇଥିବା ଲୋକଙ୍କ ନିକଟରୁ ଗୁଳି ବାଜିବା ଭଳି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟପଟେ ଧର୍ମଘଟ ତଥା ବିରୋଧ ରାଲି ମାଧ୍ୟମରେ ରାଜ୍ୟରେ ବିଶୃଙ୍ଖଳା ତଥା ସାମ୍ପ୍ରଦାୟିକ ହିଂସା ବିସ୍ତାର ପାଇଁ ଏକ ଷଡଯନ୍ତ୍ର ରଚିଥିବା ପୋଲିସ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛି ।

Related Posts