ପଞ୍ଜାବ ଫର୍ମୁଲା ଗୁଜରାଟରେ ଆପଣେଇଲା ଆପ, ନିଜ ମୁଖ୍ୟମନ୍ତ୍ରୀ ବାଛିବାକୁ ଗୁଜୁରାଟ ବାସୀଙ୍କୁ କହିଲେ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନରେ କିଏ ହେବେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ନିଷ୍ପତ୍ତି ନେବାକୁ ଗୁଜରାଟବାସୀଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଆଜି ସେ ଏକ ଗୋଟିଏ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଦ୍ୱାରା ଲୋକମାନେ ଗୁଜରାଟ ନିର୍ବାଚନରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’ର ଚୟନ କରିବେ। ତେବେ ଆପ ପଞ୍ଜାବରେ ମଧ୍ୟ ସମାନ ଫର୍ମୁଲାରେ ଲୋକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିଥିଲା। ଏହା ଦଳକୁ ଫାଇଦା ମଧ୍ୟ ଦେଇଥିଲା। ତେଣୁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ଆପ୍‌ ସମାନ ସଫଳତା ହାତେଇବା ଲକ୍ଷ୍ୟରେ ରହିଛି।

ବର୍ତ୍ତମାନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା କେଜ୍ରିୱାଲ ଆଜି “ନିଜ ମୁଖ୍ୟମନ୍ତ୍ରୀ ବାଛନ୍ତୁ” ବା “Choose Your Chief Minister” ନାଁରେ ଏକ ଅଭିଯାନ ଆରମ୍ଭ କରିଛନ୍ତି।

ଏହି ଅଭିଯାନକୁ ଆରମ୍ଭ କରି କେଜ୍ରିୱାଲ କହିଛନ୍ତି, ଲୋକମାନେ ଗୁଜୁରାଟରେ ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାରୁ ମୁକ୍ତି ଚାହାନ୍ତି। ବିଜେପି ବର୍ଷକ ତଳେ ନିଜର ମୁଖ୍ୟମନ୍ତ୍ରୀ ବଦଳାଇଛି। ସେମାନେ ପ୍ରଥମେ ବିଜୟ ରୂପାନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। କାହିଁକି ତାଙ୍କ ସ୍ଥାନରେ ଭୂପେନ୍ଦର ପଟେଲଙ୍କୁ ସୁଯୋଗ ମିଳିଲା ? ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଅର୍ଥ ବିଜୟ ରୂପାନିଙ୍କ ପାଖରେ କିଛି ତ୍ରୁଟି ଥିଲା? ଯେତେବେଳେ ବିଜୟ ରୂପାନିଙ୍କୁ ଅଣାଗଲା ସେତେବେଳେ ଲୋକମାନଙ୍କୁ କିଛି ବି ପଚରାଯାଇ ନଥିଲା। ଏହି ନିଷ୍ପତ୍ତି ଦିଲ୍ଲୀରେ ହୋଇଥିଲା। ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ବିଚାର ଲୋକମାନେ କରିବା ଉଚିତ୍ । ବିଜେପି ୨୦୧୬ରେ ଏକଥା ଲୋକଙ୍କୁ ପଚାରି ନଥିଲା। ୨୦୨୧ରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପୂର୍ବରୁ ସେମାନେ ଲୋକଙ୍କୁ କିଛି ବି ପଚାରି ନଥିଲେ।

ହେଲେ ଆମ ଆଦମୀ ପାର୍ଟି ସେପରି କରିବ ନାହିଁ। ଆମେ ଲୋକଙ୍କୁ ପଚାରୁଛୁ ଯେ ସେମାନେ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି? ପଞ୍ଜାବରେ ଆମେ ଲୋକଙ୍କ ମତାମତ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବାଛିଥିଲୁ। ଏକଥା ଆପଣମାନଙ୍କ ମନେଥିବ। ଲୋକଙ୍କ କଥା ଅନୁସାରେ ଆମେ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲୁ।

ଗୁଜରାଟରେ ଆଗାମୀ ନିର୍ବାଚନରେ ଆପ୍‌ ସରକାର ଗଠନ କରିବାକୁ ଯାଉଛି। ଏପରି ସ୍ଥିତିରେ ଆମ ମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯିଏ ହେବେ, ସେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ତେଣୁ ଆମେ ଆଜି ଲୋକଙ୍କୁ ପଚାରୁଛୁ ଯେ କିଏ ଆପଣମାନଙ୍କ ମୁଖ୍ୟମନ୍ତ୍ରୀ ହେବା ଦରକାର?

ଏଥିପାଇଁ ଆମେ 6357000360 ନମ୍ବର ଜାରି କରୁଛୁ। ଏହି ନମ୍ବରରେ ଲୋକମାନେ ନିଜର ମତାମତ ଦେଇପାରିବେ। ଲୋକମାନେ ଏସଏମଏସ, ହ୍ୱାଟସଆପ ଓ ଭୟସ ମେସେଜ ଜରିଆରେ ନିଜ ମତାମତ ପଠାଇବେ। ଆପଣମାନେ aapnocm@gmail.com ଜରିଆରେ ଇ-ମେଲ ମଧ୍ୟ କରିପାରିବେ ବୋଲି କେଜ୍ରିୱାଲ କହିଛନ୍ତି।

ଏହାର ଅର୍ଥ ୪ଟି ଉପାୟରେ ଲୋକମାନେ ସେମାନଙ୍କ ମତାମତ ରଖିବାକୁ ସୁଯୋଗ ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନମ୍ବରଟି ୩ ନଭେମ୍ବର ସନ୍ଧ୍ୟା ୫ଟା ଯାଏ କାର୍ଯ୍ୟକ୍ଷମ ରହିବ। ପବ୍ଲିକ ଓପିନିୟନର ରେଜଲ୍ଟ ୪ ତାରିଖରେ ସର୍ବସମ୍ମୁଖରେ ଘୋଷଣା କରାଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି।

Related Posts