ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗ ନେଇ ରାଜନୈତିକ ସଙ୍କଟ ଜାରି ରହିଛି। ଏସବୁ ଭିତରେ ଗୁରୁବାର ଶାସକ ୟୁପିଏ ମେଣ୍ଟର ଏକ ପ୍ରତିନିଧି ଦଳ ରାଜ୍ୟପାଳ ରମେଶ ବୈସଙ୍କୁ ଭେଟିଛନ୍ତି। ଜେଏମ୍ଏମ , କଂଗ୍ରେସ ଏବଂ ଆର୍ଜେଡି ର ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ରାଜଭବନରୁ ଏହି ପ୍ରସଙ୍ଗରେ ରିପୋର୍ଟ୍ ଲିକ୍ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରିବାପାଇଁ ଅନୁରୋଧ କରିଛନ୍ତି।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି।
ନିର୍ବାଚନ କମିସନ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ରାଜଭବନକୁ ଏକ ନୋଟିସ୍ ପଠାଇଥିଲେ। ତେବେ ଏହି ନୋଟିସ୍ ସାମ୍ନାକୁ ଆସିବା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ହେମନ୍ତ ସୋରେନ ନିଜର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ନିର୍ବାଚନ କମିସନ ବାସ୍ତବରେ ନୋଟିସ୍ ମାଧ୍ୟମରେ କ’ଣ କହିଛନ୍ତି ଏନେଇ ସ୍ପଷ୍ଟ କରିବାପାଇଁ ୟୁପିଏ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ତେବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କୀ ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜଭବନରୁ ରିପୋର୍ଟ ଲିକ୍ ହୋଇଥିବା ଖବରକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଛନ୍ତି। ଉକ୍ତ ବିଷୟରେ ରାଜ୍ୟପାଳ ୨ ଦିନ ମଧ୍ୟରେ ସ୍ଥିତି ସ୍ପଷ୍ଟ କରିବେ ବୋଲି କହିଛନ୍ତି। ସେପଟେ ବିଧାୟକଙ୍କୁ ବିଜେପି କିଣି ନେବା ଭୟରେ ଝାଡ଼ଖଣ୍ଡ ଶାସକ ମେଣ୍ଟର ବିଧାୟକମାନଙ୍କୁ ଏବେ ରାୟପୁରରେ ଏକ ରିସୋର୍ଟରେ ରଖାଯାଇଛି। ତେବେ ସରକାର ସେପ୍ଟେମ୍ବର ୫ ତାରିଖରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇଥିବାରୁ ବିଧାୟକମାନେ ଦୁଇଦିନ ମଧ୍ୟରେ ରାଜ୍ୟକୁ ଫେରିବେ ବୋଲି ଜଣାପଡ଼ିଛି।
