ଆଫଗାନିସ୍ତାନ ଛାଡ଼ିବା ପରେ ପରିବାର ସହ ୟୁଏଇରେ ଅଶରଫ ଘନି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କାବୁଲକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡ଼ି ଫେରାର ହୋଇଯାଇଥିବା ରାଷ୍ଟ୍ରପତି ଅଶରଫ ଘନିଙ୍କ ଠିକଣା ମିଳିଛି। ସେ ପରିବାର ସଦସ୍ୟଙ୍କ ସହ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ୟୁଏଇ ସରକାର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଘନି ଓ ତାଙ୍କ ପରିବାରକୁ ଦେଶରେ ସ୍ୱାଗତ କରିଥିବା କହିଛନ୍ତି। ୟୁଏଇ ସରକାରଙ୍କ ପକ୍ଷରୁ WAM ନ୍ୟୁଜ୍ ଏଜେନ୍ସି ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରିଛନ୍ତି। ତେବେ ୟୁଏଇ ଭିତରେ ଘାନି କେଉଁଠାରେ ଅଛନ୍ତି ତାହା ସ୍ପଷ୍ଟ କରାଯାଇ ନାହିଁ।

ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ଗତ ଶନିବାର କହିଥିଲେ ଯେ ସେ ୨୦ ବର୍ଷର ସଫଳତାକୁ ନଷ୍ଟ ହେବାକୁ ଦେବେ ନାହିଁ ଏବଂ ତାଲିବାନ ଆକ୍ରମଣ ମଧ୍ୟରେ ପରାମର୍ଶ ଜାରି ରହିଛି ବୋଲି କହିଛନ୍ତି। ସେ ଶନିବାର ଟେଲିଭିଜନ ମାଧ୍ୟମରେ ଦେଶକୁ ସମ୍ବୋଧିତ କରି ସେନାକୁ ଏକତ୍ର କରିବା ବିଷୟରେ କହିଥିଲେ। ତେବେ ରବିବାର ଦିନ କାବୁଲକୁ ତାଲିବାନ ଅକ୍ତିଆରକୁ ନେବା ପରେ ଘାନି ଦେଶ ଛାଡି ଚାଲିଯାଇଥିଲା।

ଘାନି ଦେଶ ଛାଡ଼ିବା ପରେ ପ୍ରଶ୍ନ ଉଠିଥିଲା ଯେ ଘାନି କେଉଁଠାରେ ଅଛନ୍ତି ? ୭୨ ବର୍ଷୀୟ ରାଷ୍ଟ୍ରପତି ଘାନି ଦେଶରୁ ଫେରାର ହେବା ସମୟରେ ନଗଦ ଟଙ୍କା ନେଇଯାଇଥିବା କୁହାଯାଉଛି। ଋଷର ନ୍ୟୁଜ ଏଜେନ୍ସି ଟାସ ରିପୋର୍ଟ କରିଛି ଯେ ରାଷ୍ଟ୍ରପତି ଘାନି ଚାରିଟି କାରରେ ନଗଦ ଟଙ୍କା ନେଇ ହେଲିକପ୍ଟରରେ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମସ୍ତ ନଗଦ ଟଙ୍କା ହେଲିକପ୍ଟରରେ ଲୋଡ୍ ହୋଇପାରି ନଥିଲା ଏବଂ ରନୱେରେ କିଛି ନଗଦ ଛାଡି ସେ ଚାଲିଯାଇଥିଲେ।

ହେଲେ ଏବେ ୟୁଏଇ ଘନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ କରିଛି। ୟୁଏଇ ପକ୍ଷରୁ ଜାରି ସଂକ୍ଷିପ୍ତ ବିବୃତିରେ କୁହାଯାଇଛି ଯେ “ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ କର୍ପୋରେସନ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ରାଷ୍ଟ୍ରପତି ଅଶରଫ ଘନି ଓ ତାଙ୍କ ପରିବାରକୁ ୟୁଏଇ ସରକାର ମାନବିକତା ଦୃଷ୍ଟିକୋଣରୁ ଦେଶରେ ସ୍ୱାଗତ କରିଛନ୍ତି।”

ରବିବାର କାବୁଲ ଛାଡ଼ିବା କଥା ଘନି ଫେସବୁକ ପୋଷ୍ଟରେ ଘୋଷଣା କରିଥିଲେ ଯେ, ” ଦେଶରେ ରକ୍ତପାତକୁ ଏଡ଼ାଇବା ପାଇଁ ସେ କାବୁଲ ଛାଡିଛନ୍ତି । ତେବେ ସେ କାବୁଲ ଛାଡ଼ି କୁଆଡ଼େ ଯାଉଛନ୍ତି ଓ ତାଙ୍କ ସହ ଅନ୍ୟ କୌଣସି ସରକାରୀ ଅଧିକାରୀ ଅଛନ୍ତି କି ନାହିଁ, ସେକଥା ଆଦୌ ସ୍ପଷ୍ଟ କରିନଥିଲେ।

Related Posts