କୁଆଡେ ଗଲା ୧୬ କୋଟି ଚାକିରି ?; ପ୍ରଧାନମନ୍ତ୍ରୀଙ୍କ ‘ରୋଜଗାର ମେଳା’ କୁ ‘ଇଭେଣ୍ଟବାଜୀ’ କହିଲା କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ରୋଜଗାର ମେଳାର ଆୟୋଜନ କରାଯାଇଛି। ଏହି ମେଳାର ଉଦଘାଟନ କରି ପ୍ରଧାନମନ୍ତ୍ରୀ ୭୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ରୋଜଗାର ମେଳା ଦ୍ଵାରା ଆଗକୁ ୧୦ ଲକ୍ଷ ଚାକିରି ଦେବାକୁ ଲକ୍ଷ ରଖାଯାଇଛି। ତେବେ ଏହି ରୋଜଗାର ମେଳାକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ । ରୋଜଗାର ମେଳାକୁ ‘ଜୁମଲା କିଙ୍ଗ’ଙ୍କ ‘ଇଭେଣ୍ଟବାଜୀ’ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ବାଲା । କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଦେଶର ଯୁବକଙ୍କୁ ୧୬ କୋଟି ଚାକିରି ଦେବା ପ୍ରତିଶ୍ରୁତି କେବେ ପୂରଣ କରାଯିବ ?

ଦଳର ମହାସଚିବ ରଣଦୀପ ସୁରଜେଓ୍ବାଲା କହିଛନ୍ତି ଯେ, କ୍ଷମତାକୁ ଆସିଲେ ପ୍ରତିବର୍ଷ ୨ କୋଟି ଚାକିରି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୮ ବର୍ଷ ହେଲା କ୍ଷମତାକୁ ଆସିଥିଲେ ସୁଦ୍ଧା ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ। ସୁରଜେଓ୍ବାଲା ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର କେଉଁଠି ନା କେଉଁଠି ଏହା ସ୍ବୀକାର କରିଛନ୍ତି ଯେ ବେରୋଜଗାରୀ ଦେଶର ସବୁଠାରୁ ବଡ ସମସ୍ୟା । ଭାରତ ଯୋଡୋ ଯାତ୍ରା ମାତ୍ର ୪ଟି ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚିଛି। କେବଳ ଏତିକିରେ ହିଁ ରାହୁଲ ଗାନ୍ଧି କେନ୍ଦ୍ର ସରକାରକୁ ମାନିବାକୁ ବାଧ୍ୟ କରିଛନ୍ତି ଯେ, ଭାରତରେ ବେରୋଜଗାରୀ ହେଉଛି ସବୁଠାରୁ ବଡ ସମସ୍ୟା । ତେଣୁ ଇଭେଣ୍ଟବାଜୀ ନକରି କେନ୍ଦ୍ର ସରକାର ଦେଶର ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦିଅନ୍ତୁ ବୋଲି ସେ କହିଛନ୍ତି।

ସୁରଜେଓ୍ବାଲା ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିବା ଉଚିତ ଯେ, ୧୬ କୋଟି ଚାକିରି କେବେ ସୁଦ୍ଧା ଦେବେ । ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସେହି ହିସାବରେ ୮ ବର୍ଷରେ ୧୬ କୋଟି ଚାକିରି ଦେବା କଥା । ଏହି ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହାର ଉତ୍ତର ସରକାର ରଖିବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି, କେବଳ ୭୦ ହଜାର ନିଯୁକ୍ତି ଦେଇ ପ୍ରଧାନମନ୍ତ୍ରୀ ଖସିଯିବାକୁ ଚାହୁଁଛନ୍ତି । କିନ୍ତୁ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ବାରମ୍ବାର ପଚାରିବ ଯେ ପ୍ରତିଶ୍ରୁତି ଅନୁସାରେ ଚାକିରି କେବେ ଦେବେ। ଆଉ ତାଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Related Posts