
ଆଡିଲେଡ୍ରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଭାରତୀୟ ଦଳ ଭଳି ଅଷ୍ଟ୍ରେଲିଆର ଉପରକ୍ରମ ମଧ୍ୟ ଫେଲ୍ ମାରିଛି ।
ଦଳୀୟ ସ୍କୋର 100 ରନ୍ ମଧ୍ୟରେ ଘରୋଇ ଦଳ 4ଟି ୱିକେଟ୍ ହରାଇଛି । କଙ୍ଗାରୁଙ୍କୁ ଚକ୍ମା ଦେଇଛନ୍ତି ଭାରତୀୟ ସ୍ପିନର ଆର୍ ଅଶ୍ବିନ୍ । 4ଟି ୱିକେଟ୍ ମଧ୍ୟରୁ 3 ଜଣଙ୍କୁ ପ୍ୟାଭିଲିୟନ୍ର ରାସ୍ତା ଦେଖାଇଛନ୍ତି ଅଶ୍ବିନ୍ । ଦ୍ବିତୀୟ ଦିନର ମଧ୍ୟାହ୍ନ ଭୋଜନ ସୁଦ୍ଧା ଦୁଇ ୱିକେଟ୍ ହରାଇ 57 ରନ୍ କରିଥିଲା ଅଷ୍ଟ୍ରେଲିଆ ।
ଦ୍ବିତୀୟ ଦିନ ଖେଳର ଆରମ୍ଭ ଭାରତର ଗତକାଲିର ଅସମାପ୍ତ ପ୍ରଥମ ଇନିସଂ 250/9ରୁ ହୋଇଥିଲା । କିନ୍ତୁ ଏଥିରେ ଗୋଟିଏ ବି ରନ୍ ଯୋଗ କରିବାରେ ସଫଳ ହୋଇନଥିଲେ ଭାରତୀୟ ବ୍ୟାଟସମ୍ୟାନ୍ । ଫଳରେ ସେହି 250 ରନ୍ରେ ହିଁ ସୀମିତ ହୋଇଯାଇଥିଲା ଟିମ୍ ଇଣ୍ଡିଆ ।
ପ୍ରଥମ ଇନିଂସ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଘରୋଇ ଦଳକୁ ପ୍ରଥମ ଝଟ୍କା ଦେଇଥିଲେ ଭାରତୀୟ ପେସର ଈଶାନ୍ତ ଶର୍ମା । ଦଳର ଖାତା ଖୋଲିବା ପୂର୍ବରୁ ବୋଲ୍ଡ ହୋଇ ଫେରିଥିଲେ ଓପନର ଆରୋନ୍ ଫିଞ୍ଚ । ଏହାପରେ ଦ୍ବିତୀୟ ୱିକେଟ୍ ପାଇଁ 45 ରନ୍ ଯୋଡ଼ିଥିଲେ ହାରିସ୍ ଓ ଖ୍ବାଜା । କିନ୍ତୁ ଏତିକି ବେଳେ କମାଲ୍ କରିଥିଲେ ଅଶ୍ବିନ୍ ।
ପ୍ରଥମେ ହାରିସ୍(26) ଓ ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ମାର୍ସଙ୍କୁ (2 ରନ୍) ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ । ଫଳରେ 59 ରନ୍ ସ୍କୋରରେ ତୃତୀୟ ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ । ପୁଣି ଟିମ୍ ସ୍କୋର 89ରେ ଖ୍ବାଜା (28)ଙ୍କୁ ଆଉଟ୍ କରି ଭାରତୀୟ ଦଳକୁ ଚତୁର୍ଥ ସଫଳତା ଦେଇଥିଲେ ଅଶ୍ବିନ୍ ।
ମ୍ୟାଚ୍ର ପ୍ରଥମ ଦିନରେ ଭାରତୀୟ ବ୍ୟାଟସମ୍ୟାନ୍ ଚେତେଶ୍ବର ପୁଜାରାଙ୍କ ଶତକ ବଳରେ ଭାରତ ସମ୍ମାନ ରଖିବାରେ ସଫଳ ହୋଇଥିଲା ।