ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ଏବଂ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ନିଜ ଜିଦ ରେ ଅଟଳ ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଆନ୍ଦୋଳନରୁ ଓହରୁନାହାନ୍ତି ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନ ଜାରି ରହିଛି, ଏହା ଆଗକୁ ମଧ୍ୟ ଚାଲିବ। ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି।

କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବହିଦାରଙ୍କ ସୂଚନା ଅନୁସାରେ, ଲୋକଙ୍କ ସମର୍ଥନ ନେଇ ଆନ୍ଦୋଳନକୁ ଆଗକୁ ଆହୁରି ତୀବ୍ରତର କରାଯିବ। ଏହା ସହିତ ବାର୍ କାଉନସିଲ୍ ଅଫ ଣ୍ଡିଆ ତାଙ୍କୁ ଲାଇସେନ୍ସ ପ୍ରଦାନ କରିନାହିଁ, ଓଡ଼ିଶା ବାର କାଉନସିଲ ଓକିଲମାନଙ୍କୁ ଲାଇସେନ୍ସ ଦେଇଛି, ତେଣୁ ସେଠାରୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ମାନିବୁ ନାହିଁ ବୋଲି ସିଧାସିଧା ସମ୍ବଲପୁରର ଓକିଲ ମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଗତକାଲି ହୋଇଥିବା ଭଙ୍ଗାରୁଜା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୁଲିସ ଏଯାଏ ୧୪ଜଣ ଆଇନଜୀବୀଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବେ ବି ଚଢ଼ଉ ଜାରି ରହିଛି।ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ସେହିପରି ସମ୍ବଲପୁର କଚେରୀ ଛକରୁ ୫୦୦ ମିଟର ପରିଧିରେ ୧୪୪ ଧାରା ଜାରି କରାଯାଇଛି। ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ସଭାସମିତି ହୋଇପାରିବ ନାହିଁ। ଏହା ସହ ୫ରୁ ଅଧିକ ଲୋକ ନିଷିଦ୍ଧାଞ୍ଚଳରେ ଏକାଠି ହୋଇପାରିବେ ନାହିଁ ବୋଲି ସୂଚନା ମିଳିଛି ।

ତେବେ ଗତକାଲି ସମ୍ବଲପୁର ବାର ଆସୋସିଏସନ୍ର ଆନ୍ଦୋଳନକାରୀ ଓକିଲ କୋର୍ଟରେ ପଶି ଭଙ୍ଗାରୁଜା କରିଥିଲେ ।ଏହି ଅଭାବନୀୟ ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି। ଟାଉନ ଆଇଆଇସି ପ୍ରକାଶ କୁମାର କର୍ଣ୍ଣଙ୍କ ସୂଚନା ଅନୁସାରେ, ନେଲ୍ସନ୍ ମଣ୍ଡେଲା ଛକରେ ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ଭିମ୍ ଆର୍ମି, ବଜରଙ୍ଗ ଦଳ, ମାରୱାଡ଼ି ଯୁବା ମଞ୍ଚ , ଘୁନ୍ଘୁଟିପଡ଼ା ବିସ୍ଥାପିତ ସଂଗଠନ, ଏବିଭିପି ସହିତ ଅନ୍ୟାନ୍ୟ ସଂଗଠନ ବିରୋଧରେ କେସ୍ ନମ୍ବର ୪୭୯/୧୨/୧୨/୨୨ ମାମଲା ରୁଜୁ କରାଯାଇଛି। ସେହିପରି ଜିଲ୍ଲା ଜଜ କୋର୍ଟ ସମ୍ମୁଖରେ ପୁଲିସ୍ ସହିତ ମୁହାଁମୁହିଁ ହେବା ତଥା ପୁଲିସ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ପରିସରକୁ ପଶିବା ଘଟଣାରେ ପୁଲିସ ଏତଲା ଅଧାରରେ ୪୮୦/୧୨.୧୨.୨୨ ରୁଜୁ କରାଯଇଥିବା ସେ ସୂଚନା ଦେଇଛନ୍ତି।