ଭୂଆନେଶ୍ୱର,୧୩/୧୨(ସତ୍ୟପାଠ ବ୍ୟୁରୋ): ମହଙ୍ଗା ପଡିଲା ରାଜନେତାଙ୍କ ସହ ଫଟୋ ସେୟାର୍ କରିବା। ପଦ୍ମପୁର ଉପନିର୍ବାଚନ ବେଳେ ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗରେ ପଦ୍ମପୁର ବ୍ଲକ୍ର ଭାରପ୍ରାପ୍ତ ବିଇଓ କାଳୀଚରଣ ଦୁବେଙ୍କୁ ନିଲମ୍ବନ କରାଯାଇଛି। ତେବେ ପଦ୍ମପୁର ଉପନିର୍ବାଚନ ସମୟରେ ଶ୍ରୀ ଦୁବେ ପ୍ରଧାନଶିକ୍ଷକଙ୍କୁ ନେଇ ଥିବା ହ୍ବାଟ୍ସଅପ୍ ଗ୍ରୁପ୍ରେ ଦୁଇଟି ଫଟୋ ସେୟାର୍ କରିଥିଲେ।
ଗୋଟିଏ ଫଟୋରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଛିଡ଼ା ହୋଇଥିବାବେଳେ ଅନ୍ୟଟିରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୋଳାଇଥିବା ପୋଜ୍ ରହିଛି। ଏହି ଦୁଇଟି ଫଟୋ କ୍ରମଶଃ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା। ତେବେ ଜିଲ୍ଲାପାଳ ଏନେଇ ରାଜ୍ୟ ନିର୍ବାଚନ କମିସନ୍ଙ୍କ ପାଖକୁ ଚିଠି ଲେଖି ମାମଲା ସଂପର୍କରେ ଜଣାଇଥିଲେ। ପରେ ନିର୍ବାଚନ କମିସନର ଶ୍ରୀ ଦୁବେଙ୍କୁ ନିଲମ୍ବନ କରିବାକୁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।





