ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଇ ଫସିଲେ ପୋଲିସ ବାବୁ, ଚାକିରୀରୁ ନିଲମ୍ବିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଇ ଫସିଛନ୍ତି ଜଣେ ପୋଲିସ ବାବୁ। ଏହାପରେ ତାଙ୍କୁ ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡ଼ିଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଘଟିଛି। ତେବେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଜଣେ ଆତ୍ମଘୋଷିତ ବାବାଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଥିଲେ। ଏନେଇ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା, ଯାହା ପୋଲିସ ବାବୁଙ୍କ ଉପରେ ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ବାବୁଙ୍କୁ ନିଲମ୍ବିତ କରିଦିଆଯାଇଛି ।

ଖବର ଅନୁସାରେ ଏକ ୧୭ ବର୍ଷର ଝିଅକୁ ହତ୍ୟା କରିଥିବା ଆସାମୀକୁ ଧରିବା ପାଇଁ ପୋଲିସ ଏସ୍‌ଆଇ ଜଣେ ଆତ୍ମଘୋଷିତ ବାବାଙ୍କ ନିକଟକୁ ଯାଇ ହାତ ଯୋଡ଼ୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖା ଯାଉଛି ବାବା ତାଙ୍କୁ କିଛି ସୂଚନା ଦେଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଏସଆଇ ଅନିଲ ଶର୍ମାଙ୍କୁ ନିଲମ୍ବିତ କରାଯାଇଛି । ଭିଡିଓରେ ପୋଲିସ ଏଏସଆଇ ଜଣକ ବାବାଙ୍କୁ ହାତ ଯୋଡ଼ି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ତାଲିକା ଧରାଉଥିବାର ଦେଖିବାକୁ ମିଳିଛି । ଏହାପରେ ବାବା ଜଣକ କହୁଛନ୍ତି ଯେ, ‘ତୁମ ତାଲିକାରେ ଥିବା ଦୋଷୀଙ୍କ ନାଁ ଛଡ଼ା ମୁଁ ଆଉ କିଛି ନାମ ନେବି। ଯେଉଁଟା ତୁମ ତାଲିକାରେ ନଥିବ, ସେ ହେଉଛି ମୁଖ୍ୟ ଅଭିଯୁକ୍ତ’ । ପରବର୍ତ୍ତୀ ସମୟରେ, ସେ ତିନୋଟି ନାମ ନେଇଥିଲେ ଏବଂ ତାପରେ କହିଥିଲେ, “ବର୍ତ୍ତମାନ ଆପଣ ବୁଝିପାରିବେ ସେହି ବ୍ୟକ୍ତି କିଏ। ଏହି ମାମଲାରେ ପଚରାଉଚରା ପାଇଁ ଆପଣ ତାଙ୍କୁ ଅଟକ ରଖିଛନ୍ତି”।

ସୂଚନା ଅନୁଯାୟୀ ଜୁଲାଇ ୨୮ରେ ଛତ୍ରପୁର ଜିଲ୍ଲାର ବାମିଠା ପୋଲିସ ଷ୍ଟେସନ ପରିସରର ଥିବା ଗାଁରେ ଜଣେ ନାବାଳିକାଙ୍କ ମୃତଦେହ ମିଳିଥିଲା। ମୃତଦେହ ସନ୍ଦେହଜନକ ଥିଲା ତେଣୁ ପୋଲିସ ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ପରେ ସେହି ଗାଁରେ ରହୁଥିବା ତିନି ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। କିନ୍ତୁ ପୋଲିସ ଏହି ମାମଲା ଉପରେ ତଦନ୍ତ ଜାରି ରଖିଥିଲା। କିଛି ଦିନ ତଳେ ପୋଲିସ ଏହି ହତ୍ୟାକାଣ୍ଡର ଖୁଲାସା କରି ମୃତକଙ୍କ ଦାଦାଙ୍କୁ ଗିରଫ କରି କହିଛି ଯେ ତାଙ୍କ ଝିଅ କାହା ସହ ଅନୈତିକ ସମ୍ପର୍କ ରଖିଛି। ତେଣୁ ଝିଅର ଚରିତ୍ର ଉପରେ ସନ୍ଦେହ କରିଥିଲେ, ଯେଉଁଥିରେ ସେ ତାଙ୍କ ଝିଆରୀକୁ ଗଳା କାଟି ହତ୍ୟା କରିଥିଲେ ଏବଂ ପରେ ତାଙ୍କୁ କୂଅରେ ଫିଙ୍ଗି ଦେଇଥିଲେ। ବାମିଠା ପୋଲିସ ଏହି ଘଟଣାର ଖୁଲାସା କରିବା ପରେ ପରିବାର ସଦସ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଥିଲେ। ଏହା ପରେ ଏଏସଆଇ ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ୟୁନିଫର୍ମରେ ଥିବା ଜଣେ ପୋଲିସ ଅଧିକାରୀ ବାବାଙ୍କ ନିକଟକୁ ଯାଇ ହତ୍ୟା ରହସ୍ୟର ସମାଧାନ ପାଇଁ ସାହାଯ୍ୟ ମାଗିଥିବାର ନଜର ଆସିଛନ୍ତି।

ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡ଼େ ଉତ୍ତେଜନା ପ୍ରକାଶ ପାଇଥିଲା। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ଏଏସଆଇ ଅନିଲ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି ଛତ୍ରପୁର ଏସ୍‌ପି ସଚିନ୍‌ ଶର୍ମା । ପୋଲିସ ବାବୁଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଏବେ ପୋଲିସଙ୍କ ଉପରେ ପ୍ରଶ୍ନ ଉଠାଉଥିବାର ଦେଖିବାକୁ ମିଳିଛି ।

Related Posts