ନୂଆ ବର୍ଷ ପୂର୍ବରୁ 5 ଦିନ ବନ୍ଦ ରହିବ ବ୍ୟାଙ୍କ, ବଢ଼ିପାରେ ନଗଦ ସଙ୍କଟ

ନୂଆବର୍ଷକୁ ସ୍ବାଗତ କରିବାକୁ ଲୋକେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଏହି ପ୍ରସ୍ତୁତି ଭିତରେ ଆପଣଙ୍କୁ ନଗଦ ଟଙ୍କାର ଅଭାବ ପଡ଼ିପାରେ । କାରଣ 20 ଡିସେମ୍ବର ପରେ ପ୍ରାୟ 5 ଦିନ ପାଇଁ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ଏହା ଫଳରେ ଏଟିଏମ୍‌ରେ ଟଙ୍କାର ସଙ୍କଟ ଦେଖାଦେଇପାରେ । ଯାହା ଫଳରେ ଲୋକଙ୍କୁ ସମସ୍ୟା ହୋଇପାରେ ।

ଏବେ ତ ଆପଣଙ୍କ ପାଖରେ ତିନି ଦିନ ଅଛି । ଏହି ତିନି ଦିନ ଭିତରେ ଆପଣ ଆବଶ୍ୟକତା ଅନୁସାରେ ଏଟିଏମ୍‌ରୁ ଟଙ୍କା ବାହାର କରି ଆଣିପାରିବେ । ସବୁ ବ୍ୟାଙ୍କ ଡିସେମ୍ବର 20 ତାରିଖ ଯାଏଁ ଚାଲିବେ । କିନ୍ତୁ 21ରୁ 27 ଡିସେମ୍ବର ଯାଏଁ କେବଳ ଗୋଟିଏ ଦିନ ହିଁ ବ୍ୟାଙ୍କର କାମ ହେବ । ବା ବ୍ୟାଙ୍କ ଖୋଲା ରହିବ ।

ଶୁକ୍ରବାର 21 ଡିସେମ୍ବରରେ ବ୍ୟାଙ୍କ କର୍ମଚାରୀମାନେ ଷ୍ଟ୍ରାଇକ୍‌ ବା ଆନ୍ଦୋଳନ କରିବେ । ବ୍ୟାଙ୍କ କର୍ମଚାରୀଙ୍କ ହରତାଳ ଫଳରେ ଦେଶର ସବୁ ସରକାରୀ ବ୍ୟାଙ୍କ ବନ୍ଦ ରହିବେ । ତେବେ ଏହିଦିନ ଘରୋଇ ବ୍ୟାଙ୍କରେ କାମ ଜାରି ରହିବ ।

ଡିସେମ୍ବର 22 ଦିନ ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । 23 ଡିସେମ୍ବର ରବିବାର । କେବଳ ଗୋଟିଏ ଦିନ 24 ତାରିଖରେ ବ୍ୟାଙ୍କ ଖୋଲା ରହିବ । ଏହା ପରେ ଡିସେମ୍ବର 25ରେ ଖ୍ରୀଷ୍ଟମାସ ଦିନ ପାଇଁ ବ୍ୟାଙ୍କ ଛୁଟି ରହିବ । ଏହାପରେ 26 ଡିସେମ୍ବରରେ ମଧ୍ୟ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଆନ୍ଦୋଳନ କରିପାରନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ବାରା ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ପ୍ରସ୍ତାବିତ ବିଲୟକୁ ବିରୋଧ କରୁଥିବା ବ୍ୟାଙ୍କ କର୍ମଚାରୀ ସଂଗଠନ ସମୂହ 26 ଡିସେମ୍ବରରେ ଦେଶବ୍ୟାପୀ ହରତାଳର ଚେତାବନୀ ଦେଇଛନ୍ତି । ଏହିପରି 21ରୁ 26 ତାରିଖ ମଧ୍ୟରେ 6 ଦିନରେ ମାତ୍ର ଗୋଟିଏ ଦିନ ବ୍ୟାଙ୍କ ଖୋଲା ରହିବ ।

ଏଥିସହ କର୍ମଚାରୀଙ୍କ ଦରମାରେ ମାତ୍ର 8 ପ୍ରତିଶତ ବୃଦ୍ଧିର ବିରୋଧ କରି ବ୍ୟାଙ୍କ ୟୁନିୟନ 21ରୁ 26 ଡିସେମ୍ବର ଯାଏଁ ହରତାଳରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ କର୍ମଚାରୀଙ୍କ ଦାବି ହେଲା ସେମାନଙ୍କ ଦରମା ସପ୍ତମ ବେତନ କମିସନ ସ୍ତରର କରାଯାଉ ।

Related Posts