IND vs AUS : ପର୍ଥ ଟେଷ୍ଟକୁ 146 ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ, ସିରିଜ୍‌ 1-1ରେ ବରାବର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ୍‌ର ଦ୍ବିତୀୟ ଟେଷ୍ଟର ଫଳାଫଳ ଘରୋଇ ଟିମ୍‌ ସପକ୍ଷରେ ଗଲା । ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ 146 ରନ୍‌ରେ ଜିତିନେଲା । ଲକ୍ଷ୍ୟର ପିଛା କରି ଭାରତୀୟ ଟିମ୍‌ ମାତ୍ର 140 ରନ୍‌ ଭିତରେ ଅଲ୍‌ଆଉଟ୍‌ ହୋଇଗଲା ।

ପର୍ଥ ଟେଷ୍ଟକୁ 146 ରନ୍‌ରେ ଜିତିନେଲା ଘରୋଇ ଅଷ୍ଟ୍ରେଲିଆ । ଭାରତୀୟ ଟିମ୍‌ 287 ରନ୍‌ର ଲକ୍ଷ୍ୟର ପିଛା କରି ପଞ୍ଚମ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ମାତ୍ର 140 ରନ୍‌ରେ ସୀମିତ ରହିଗଲା । ଏହି ବିଜୟ ସହ ଘରୋଇ ଟିମ୍‌ ସିରିଜ୍‌ 1-1ରେ ବରାବର କରିଦେଲା । ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ଟେଷ୍ଟ ଡିସେମ୍ବର 26ରୁ ମେଲବର୍ଣ୍ଣରେ ଖେଳାଯିବ । ଭାରତ ଆଡିଲେଡ୍‌ ଟେଷ୍ଟରେ 31 ରନ୍‌ରେ ବିଜୟ ହାସଲ କରିଥିଲା ।

ସଂକ୍ଷିପ୍ତ ସ୍କୋର-ଅଷ୍ଟ୍ରେଲିଆ 326 ଓ 243, ଭାରତ 283 ଓ 140

ଅଷ୍ଟ୍ରେଲିଆ ପକ୍ଷରୁ ଦ୍ବିତୀୟ ଇନିଂସ୍‌ରେ ମିସେଲ୍‌ ଷ୍ଟାର୍କଟ ଓ ନାଥନ ଲାୟନ 3ଟି ଲେଖାଏଁ ୱିକେଟ୍‌ ନେଲେ । ଜସ୍‌ ହାଜେଲହୁଡ୍‌ ଏବଂ ପେଟ୍‌ କମିନ୍ସ 2ଟି ଲେଖାଏଁ ୱିକେଟ୍‌ ଦଖଲ କଲେ । ମ୍ୟାଚ୍‌ରେ ମୋଟ 8 (5+3) ୱିକେଟ୍‌ ନେଇଥିବା ସ୍ପିନର ନାଥନ ଲାୟନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହେଲେ ।

ପଞ୍ଚମ ଦିନରେ ଏମିତି ହେଲା ଟିମ୍‌ ଇଣ୍ଡିଆର ସ୍ଥିତି

ମ୍ୟାଚ୍‌ର ଶେଷ ଦିନରେ ମଙ୍ଗଳବାର ସକାଳୁ ଭାରତୀୟ ଟିମ୍‌ ନିଜର ପୂର୍ବ ଦିନର ସ୍କୋରରେ ଆଉ ମାତ୍ର 28 ରନ୍‌ ଯୋଡ଼ିବାରେ ହିଁ ସକ୍ଷମ ହେଲା । 287ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା 112 ରନ୍‌ କରି 5ଟି ୱିକେଟ୍‌ ହରାଇ ସାରିଥିଲା । ହନୁମା ବିହାରୀ 24 ଓ ଋଷଭ ପନ୍ଥ 9 ରନ୍‌ କରି ବ୍ୟାଟିଂ କରୁଥିଲେ ।

ପଞ୍ଚମ ଦିନ ସକାଳୁ ଯଶପ୍ରୀତ୍‌ ବୁମରା(0) ଶେଷ ୱିକେଟ୍‌ ଭାବେ ଆଉଟ୍‌ ହେଲେ । ତାଙ୍କ ପୂର୍ବରୁ ଇଶାନ୍ତ ଶର୍ମାଙ୍କୁ ଟିମ୍‌ ପେନ୍‌ଙ୍କ ହାତରେ କ୍ୟାଚ୍‌ କରାଇ କମିନ୍ସ ପ୍ୟାଭିନିୟନ୍‌ ଫେରାଇଲେ । ଭାରତର ସ୍କୋର 140 ରନ୍‌ରେ ନବମ ୱିକେଟ୍‌ର ପତ୍ତନ ହେଲା । ଏହା ପୂର୍ବରୁ ଉମେଶ ଯାଦବ(2)ଙ୍କୁ ମିଶେଲ ଷ୍ଟାର୍କ କଟ୍‌ ଏଣ୍ଡ ବୋଲ୍‌ଡ କରି ଭାରତକୁ ଅଷ୍ଟମ ଝଟ୍‌କା ଦେଇଥିଲେ ।
ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ କେବଳ ଋଷଭ ପନ୍ଥ (30 ରନ୍‌) ଅଷ୍ଟ୍ରେଲୀୟ ବୋଲରଙ୍କୁ କିଛି ସମୟ ସାମ୍ନା କରିବାରେ ସକ୍ଷମ ହୋଇଥିଲେ । ତାଙ୍କୁ ଆଉଟ୍‌ କରି ନାଥନ ଲାୟନ ଭାରତକୁ ବଡ଼ ଝଟ୍‌କା ଦେଇଥିଲେ । ତାଙ୍କ ପୂର୍ବରୁ ହନୁମା ବିହାରୀ(28) ମିସେଲ୍‌ ଷ୍ଟାର୍କଙ୍କ ପେସ୍‌ରେ ପରାସ୍ତ ହୋଇ ମାର୍କସ୍‌ ହ୍ୟାରିସ୍‌ଙ୍କ ହାତରେ କ୍ୟାଚ୍‌ ହୋଇଥିଲେ । ସେତେବେଳେ ଭାରତ 119 ରନ୍‌ରେ ଷଷ୍ଠ ୱିକେଟ୍‌ ହରାଇଥିଲା ।

Related Posts