ବରସୁଆଁରୁ କଲେଇପୋଷ ରାସ୍ତା : ରାଜସ୍ୱ ଆସୁଛି ବିକାଶ ଯାଉନି

ସତ୍ୟପାଠ ବ୍ୟୁରୋ : ୨୦ କିଲୋମିଟର ରାସ୍ତାକୁ ଲାଗୁଛି ୬ଘଂଟାରୁ ଅଧିକ ସମୟ । ସମସ୍ୟା ସମୟକୁ ନେଇ ନୁହେଁ ବରଂ ଆନ୍ତରିକତାକୁ ନେଇ । କାରଣ ଏ ରାସ୍ତାର ଅବସ୍ଥା ଏତେ ଖରାପ ଯାହା ଯେତେ ଦେଖାଇଲେଏ ବି କମ ପଡିବ । ଏ ଦୃଶ୍ୟ ହେଉଛି ସୁନ୍ଦର ଗଡ ଜିଲ୍ଲା ବଣାଇ ଅଞ୍ଚଳର । ଯେଉଁ ଖଣି ଖାଦାନ ଭରା ଭୁସ୍ୱର୍ଗର ଛାତି ଚିରି ସରକାର କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି, ସେଇ ଅଞ୍ଚଳ ବିକାଶ ପାଇଁ ଯେମିତି ଆଖି ବନ୍ଦ କରି ଦେଇଛନ୍ତି ।

ବରସୁଆଁରୁ କଲେଇପୋଷ ମାତ୍ର ୨୦ କିମିର ରାସ୍ତା । କିନ୍ତୁ ରାସ୍ତାର ହାଲତ ଏମିତି ଯେ ଏତିକି ରାସ୍ତା ପାର କରିବାକୁ ଲାଗି ଯାଉଛି ୬ଘଂଟାରୁ ଅଧିକ ସମୟ । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଟନର ଲୁହା ପଥର ପରିବହନ ହୁଏ । ଶହ ଶହ ଲୁହାପଥର ବୋଝେଇ ହାଇୱା ଚାଲେ ଏ ରାସ୍ତା ଉପରେ । ଯେଉଁଥିପାଇଁ ଫସିଯାଏ ବସ ଓ ଅନ୍ୟାନ୍ୟ ଯାତ୍ରୀବାହି ଗାଡି । ତେଣୁ କୋଇଡାରୁ ରାଉରକେଲାକୁ ସଂଯୋଗ କରୁଥିବା ଏହି ରାଜ୍ୟ ରାଜମାର୍ଗ ଏକପ୍ରକାର ଜାମ୍ ହୋଇ ଯାଉଛି । ପଛକୁ ପଛ ଲାଗି ରହୁଛି ବସ ଆଉ ତାରି ଭିତରେ ଫସି ଯାଉଛି ଲୋକଙ୍କ ମୁଲ୍ୟବାନ ସମୟ ।

ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଅନେକ ବାର ଅଭିଯୋଗ କଲେଣି । କିନ୍ତୁ ସ୍ଥିତି କାଲି ଯାହା ଥିଲା ଆଜି ବି ସେଇଆ । ରାସ୍ତା ସାରା ଖାଲ ଖମାରେ ଭର୍ତ୍ତୀ ହୋଇଥିବା ବେଳେ ଭାରଯାନ ଚଳାଚଳ ପାଇଁ ହାଲ ଏକଦମ ବେହାଲ ହୋଇ ଗଲାଣି । କିନ୍ତୁ ପ୍ରଶାସନ ସବୁ ଜାଣି ବି ଚୁପ ରହୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Related Posts