ବାତ୍ୟା ଅସାନି : ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଯାଇଛି ବାତ୍ୟା ଅସାନିର ପ୍ରଭାବ | ଗତ ଦୁଇ ଦିନ ହେଲା ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ, ଆଜି ଉପକୂଳ ଓଡ଼ିଶାର ଅନେକ ସ୍ଥାନ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା. ଜଗତସିଂହପୁର ଓ କଟକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭୦ରୁ ୧୧୦ ମିଲିମିଟର ବର୍ଷା ହୋଇପାରେ ।

ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା, ଗଜପତି ପାଇଁ ହାଇଆଲର୍ଟ ଜାରି କରାଯାଇଛି । ସମସ୍ତ ଉପକୂଳ ଓଡ଼ିଶାକୁ ସତର୍କରେ ରଖାଯାଇଛି । ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ପୁରୀ ଓ ଜଗତସିଂହପୁରରେ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି ।

ସେପଟେ, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540 କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ଅସାନି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି 12 କିମି ବେଗରେ ଗତି କରୁଛି ଅସାନି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସ୍ଥଳଭାଗ ଛୁଇଁବ ଅସାନି । ଆନ୍ଧ୍ରପ୍ରଦେଶ କାକିନାଡା- ବିଶାଖାପାଟଣା ଦେଇ ଗତି କରିବ ବାତ୍ୟା ।

Related Posts