ଅକ୍ଟୋବର ୧୮ରେ ବିସିସିଆଇ ନିର୍ବାଚନ

ମୁମ୍ବାଇ :ଅକ୍ଟୋବର ୧୮ ତାରିଖରେ ବିସିସିଆଇର ପରବର୍ତ୍ତୀ ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ବସିବ । ଏ ବିଷୟରେ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ଘୋଷଣା ହେବ ବୋଲି ଏକ ରାଜ୍ୟ ସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା ସୂଚନା ଦେଇଛନ୍ତି । ସୌରଭ ଗାଙ୍ଗୁଲି ଦ୍ୱିତୀୟ ଥର ବୋର୍ଡ ସଭାପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସେ ବିସିସିଆଇରୁ ପ୍ରତିନିଧିତ୍ୱ କରି ଆଇସିସି ଅଧ୍ୟକ୍ଷ ହେବାକୁ ଚାହାନ୍ତି । ତେଣୁ ବର୍ତ୍ତମାନର ସମ୍ପାଦକ ଜୟ ଶାହା ସଭାପତି ଏବଂ କୋଷାଧ୍ୟକ୍ଷ ଅରୁଣ ଧୂମାଲ ପରବର୍ତ୍ତୀ ସମ୍ପାଦକ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। କିନ୍ତୁ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତିକୁ ସମସ୍ତଙ୍କର ଅପେକ୍ଷା ରହିଛି ।

ସୌରଭ ଗାଙ୍ଗୁଲି ଆଇସିସିକୁ ଗଲେ ଅନିରୁଦ୍ଧ ଚୌଧୁରୀ, ରୋହନ ଜେଟଲୀ ଏବଂ ରାଜୀବ ଶୁକ୍ଳା ବିସିସିଆଇ କ୍ଷମତା କେନ୍ଦ୍ର ମଧ୍ୟରେ ପ୍ରବେଶ କରିବାକୁ ପ୍ରମୁଖ ଦାବିଦାର ରହିଛନ୍ତି । ଶୁକ୍ଳା ପରବର୍ତ୍ତୀ ଆଇପିଏଲ୍‌ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ଏ.କେ. ଜ୍ୟୋତି ବୋର୍ଡର ପୂର୍ବ ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ । ଏଥର ମଧ୍ୟ ସେ ପୂର୍ବ ଭୂମିକା ନିର୍ବାହ କରିପାରନ୍ତି ।

ବିସିସିଆଇ ସମ୍ବିଧାନରେ ‘କୁଲିଂ ଅଫ୍‌ ପିରିୟଡ୍‌’ରେ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଗୋଟିଏ ସ୍ଥାନରେ (ରାଜ୍ୟ ସଂଘ କିମ୍ବା ବିସିସିଆଇ) ଜଣେ ବ୍ୟକ୍ତି କ୍ରମାନ୍ୱୟରେ ୨ଟି କାର୍ଯ୍ୟକାଳ ପୂରଣ କରିପାରିବେ । ଏହାପରେ ତାଙ୍କ ପାଇଁ ‘କୁଲିଂ ଅଫ୍‌ ପିରିୟଡ୍‌’ ଲାଗୁ ହେବ । ବିସିସିଆଇ ଏବଂ ରାଜ୍ୟ ସଂଘ ଭିନ୍ନ ଭିନ୍ନ ସ୍ଥାନ ହୋଇଥିବାରୁ ଗୋଟିଏ ସ୍ଥାନରେ ୨ଟି ଥର କାର୍ଯ୍ୟକାଳ ପୂରଣ ହେବା ଉଚିତ ହେବ ।’ ଏହି ଆଧାରରେ ସୌରଭ ଓ ଶାହା ବିସିସିଆଇରେ ଦ୍ୱିତୀୟ ଥର ନିର୍ବାଚନରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନେ ୨୦୧୯ ଅକ୍ଟୋବର ମାସରେ ସଭାପତି ଓ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।

Related Posts