ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶରେ ଆରଏସଏସ କର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୧୦ ଜଣ ପୋଲିସଙ୍କ ବିରୁଦ୍ଧରେ ଏଫଆଇଆର ହୋଇଛି। ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ନିଲମ୍ବିତ ମଧ୍ୟ ହୋଇଛନ୍ତି।ସୂଚନା ଅନୁସାରେ ଉତ୍ତର ପ୍ରଦେଶର ବୁଡ଼ାଉଁ ଅଞ୍ଚଳର ଆରଏସଏସ ପ୍ରଚାରକ ଅର୍ୟନେନ୍ଦ୍ର କୁମାର ଙ୍କୁ ପୋଲିସ ସବ୍ ଇନ୍ସପେକ୍ଟର ଅଙ୍କିତ କୁମାର ଥାନାକୁ ଡ଼ାକି ମାଡ଼ ମାରିଛନ୍ତି। ଅଭିଯୋଗ ଅନୁସାରେ ଅର୍ୟନେନ୍ଦ୍ର କୁମାର ଦୀର୍ଘଦିନ ହେବେ ମେଡିକାଲ ରେ ଚିକିତ୍ସିତ ହେଉଥିବା ତାଙ୍କ ମା ଙ୍କ ପାଖରୁ ଫେରୁଥିଲେ। ସେ ସମୟରେ ବୁଡ଼ାଉଁ ଠାରେ ରାସ୍ତା ଜାମ ହୋଇଥିଲା। ସେତେବେଳେ ସବ୍ ଇନ୍ସପେକ୍ଟର ଅଙ୍କିତ କୁମାର ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଜାମ କରିବା ଅଭିଯୋଗ ରେ ଅର୍ୟନେନ୍ଦ୍ର କୁମାରଙ୍କୁ ଥାନାକୁ ଆଣି ମାଡ଼ ମାରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅଓଲା ସାଂସଦ ଧର୍ମେନ୍ଦ୍ର କାଶ୍ୟପ ଙ୍କ ସମେତ ଆରଏସଏସ ଏବଂ ବିଜେପି କର୍ମୀ ମାନେ ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ପହଞ୍ଚି ବୁଡ଼ାଉଁ ରାସ୍ତା ଅବରୋଧ କରିଥିଲେ ଓ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ପରେ ସର୍କଲ ଅଫିସର ଆଶିଷ ପ୍ରତାପ ସିଂହ, ସବ୍ ଇନ୍ସପେକ୍ଟର ଅଙ୍କିତ କୁମାରଙ୍କୁ ନିଲମ୍ବିତ କରିଥିଲେ ଓ ଅର୍ୟନେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ଅନ୍ୟ ଦଶ ଜଣ ପୋଲିସ କର୍ମଚାରୀଙ୍କ ବିରୋଧ ରେ ମାମଲା ଦାୟର କରିଥିଲେ।