ଟି-୨୦ ବିଶ୍ଵକପ ପୂର୍ବରୁ କ୍ରିକେଟର ୮ଟି ନିୟମରେ ପରିବର୍ତ୍ତନ ଆଣିଲା ଆଇସିସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗକୁ ଆସୁଛି ଟି-୨୦ ବିଶ୍ଵକପ। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର କ୍ରିକେଟ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ଏହି ସମସ୍ତ ନିୟମ ଆସନ୍ତା ଅକ୍ଟୋବର ୧, ୨୦୨୨ ରୁ ଲଗୁହେବ ହେବ । ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି (ସିଇସି) ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ପୁରୁଷ କ୍ରିକେଟ୍ କମିଟିର ସୁପାରିଶକୁ ଅନୁମୋଦନ କରିବା ପରେ ଆଇସିସି ଏହି ପରିବର୍ତ୍ତନ ଘୋଷଣା କରିଛି ।ଏହି ବୌଠକରେ, ଏମସିସି ର ୨୦୧୭ ର କ୍ରିକେଟ୍ ଆଇନର ତୃତୀୟ ଅଦ୍ୟତନ ସଂସ୍କରଣ ଉପରେ ଆଲୋଚନା କରାଯାଇଥିଲା।

ଅକ୍ଟୋବର ୧, ୨୦୨୨ ରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା କ୍ରିକେଟର ନୂଆ ନିୟମଗୁଡିକ ହେଲା :

  1. ଯଦି ଜଣେ ବ୍ୟାଟ୍ସମ୍ୟାନ୍ କ୍ୟାଚ ଆଉଟ୍ ହୁଅନ୍ତି, ତେବେ ସେହି କ୍ଷେତ୍ରରେ ପଡ଼ିଆରେ ନୂତନ ବ୍ୟାଟ୍ସମ୍ୟାନ୍ ଷ୍ଟ୍ରାଇକରେ ରହିବେ ।
  2. ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର କରାଯାଇ ପାରିବ ନାହିଁ ।
  3. ବଲ ବୋଲିଂ ହେବା ପୂର୍ବରୁ ନନ୍-ଷ୍ଟ୍ରାଇକର କ୍ରିଜ୍ ବାହରକୁ ଗଲେ ତାହା ରନ ଆଉଟ୍ ବୋଲି ବିବେଚନା ହେବ । ଯାହାକୁ ପୂର୍ବରୁ ମଙ୍କଡିଂ ବୋଲି କୁହାଯାଉଥିଲା ।
  4. ଯଦି ବୋଲରଙ୍କ ରନ୍ ଅପ୍ ସମୟରେ ଫିଲ୍ଡିଂ ଦଳ କୌଣସି ଅନ୍ୟାୟ ଉପାୟ ବ୍ୟବହାର କରନ୍ତି, ତେବେ ଅମ୍ପାୟାର ସେହି ବଲକୁ ‘ଡେଡ୍ ବଲ୍’ ବଲ୍ ବୋଲି ଘୋଷଣା କରିବେ । ଏହାସହିତ ବ୍ୟାଟିଂ ଦଳକୁ ପାଞ୍ଚ ପେନାଲ୍ଟି ରନ୍ ପ୍ରଦାନ କରାଯିବ ।
  5. ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚରେ ନୂଆ ବ୍ୟାଟ୍ସମ୍ୟାନ୍ ଦୁଇ ମିନିଟ୍ ମଧ୍ୟରେ ଷ୍ଟ୍ରାଇକ୍ କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ହେବ। ସେହିଭଳି ଟି-୨୦ ରେ ବର୍ତ୍ତମାନର ସମୟ ସୀମା ପୂର୍ବ ପରି ଜାରି ରହିବ ।
  6. ଯଦି ଟି-୨୦ ମ୍ୟାଚ୍ ରେ ଓଭର ହାର ଧୀର ହୁଏ ତେବେ ୩୦-ୟାର୍ଡ ସର୍କଲ ବାହାରେ ଫିଲ୍ଡରଙ୍କୁ ରଖିବା ପାଇଁ ଥିବା ଦଣ୍ଡ ବର୍ତ୍ତମାନ ଦିନିକିଆ ରେ ମଧ୍ୟ ଲାଗୁ ହେବ। ତେବେ ଆଇସିସି ପୁରୁଷ ବିଶ୍ୱକପ୍ ସୁପର ଲିଗ୍ ୨୦୨୩ ପରେ ଏହି ନିୟମ କାର୍ଯ୍ୟକାରୀ ହେବ ।
  7. ଷ୍ଟ୍ରାଇକରଙ୍କ ବଲ ଖେଳିବାର ଅଧିକାର ରହିଛି ତେଣୁ ଷ୍ଟ୍ରାଇକରଙ୍କ ବ୍ୟାଟ୍ କିମ୍ବା ବ୍ୟାଟ୍ସମ୍ୟାନଙ୍କ କିଛି ଅଂଶ ପିଚ୍ ଭିତରେ ରହିବା ଜରୁରୀ ।
  8. ସମସ୍ତ ପୁରୁଷ ଏବଂ ମହିଳା ଦିନିକିଆ ଏବଂ ଟି୨୦ ମ୍ୟାଚ୍ ପାଇଁ ଖେଳ ସ୍ଥିତିକୁ ସଂଶୋଧନ କରାଯିବ । ଯାହା ଦ୍ୱାରା ଉଭୟ ଦଳ ସହମତ ହେଲେ ହାଇବ୍ରିଡ୍ ପିଚ୍ ବ୍ୟବହାର କରାଯାଇ ପାରିବ।
Related Posts