ବେକାବୁ ହେଉଛି କରୋନା : ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶରେ ଏବେ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି। ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ମେଡିକାଲ ଅମ୍ଳଜାନ ଅଭାବ , ବେଡ୍ ସମସ୍ୟା ମଧ୍ୟ ଦେଖାଦେଇଛି।  ଏହା ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଚିଠି ଲେଖି କରୋନା ସଙ୍କଟ ଉପରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ଉଚିତ ଯାହା ଦ୍ବାରା ଦେଶର ବିଭିନ୍ନ ସ୍ଥାନରୁ ସାଂସଦମାନେ ସେମାନଙ୍କ ଅଞ୍ଚଳ ତଥା ରାଜ୍ୟର ସ୍ଥିତି ବିଷୟରେ କହିପାରିବେ, ଯାହା ଦ୍ବାରା ଲୋକଙ୍କ ସମସ୍ୟା ହ୍ରାସ ହୋଇପାରିବ।

ବହୁ ବିରୋଧୀଦଳ ନେତା ମଧ୍ୟ ଭର୍ଚୁଆଲ୍ ସଂସଦୀୟ ପ୍ୟାନେଲର କାର୍ଯ୍ୟକାରିତା ପାଇଁ ଦାବି କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଭାରତରେ କରୋନାର ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କ୍ରମାଗତ ଚାରି ଦିନ ଧରି ଚାରି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୬ ହଜାର ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩,୭୫୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬କୁ ବୃଦ୍ଧି ପାଇଛି।

Related Posts