
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ ଉତ୍ତେଜନା ଦେଖାଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ହାଉସ୍ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଠେଲାପେଲା ଓ ଟଣାଓଟରାରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଏହିଭଳି ଅଭାବନୀୟ ପରିସ୍ଥିତିି ଉପୁଜିଲା ପରେ ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟବନ୍ଦ ଯୋଗୁ ମେଡିକାଲରେ ରୋଗୀ ସେବା ବ୍ୟାହତ ହୋଇଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଏମ୍କେସିଜି ମେଡ଼ିକାଲ୍ର ଆଶୁବିଭାଗରେ ଜଣେ ରୋଗୀଙ୍କ ଚିକିତ୍ସାକୁ ନେଇ ଜଣେ କନିଷ୍ଠ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ବଚସା ହୋଇଥିଲା। ଡାକ୍ତରଙ୍କ ପରାମର୍ଶକୁ ନର୍ସ ଅଣଦେଖା କରିବାରୁ ସେଠାରେ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଆଜି ପୂର୍ବାହ୍ନରେ ହାଉସ୍ ସର୍ଜନ ଡାକ୍ତର ଓ ନର୍ସମାନେ ପୃଥକ୍ ପୃଥକ୍ ଭାବେ ମେଡ଼ିକାଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲେ। ହେଲେ ଅଭିଯୋଗ କରିବା ପୂର୍ବରୁ ମେଡ଼ିକାଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍ ଆଗରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟଙ୍କ ଭିତରେ ଠେଲାପେଲା ଓ ଟଣାଓଟରା ହୋଇଥିଲା। ଖବର ପାଇ ମେଡ଼ିକାଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍ରେ ବୈଦ୍ୟନାଥପୁର ଥାନା ପୁଲିସ୍ ପହଞ୍ଚି ଉଭୟ ଗୋଷ୍ଠୀର କର୍ମଚାରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା।