ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ: ବିଜେଡି ପ୍ରାର୍ଥୀ ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପାଇଁ ଅନୁଷ୍ଠିତ ହେବ ନିର୍ବାଚନ | ତେବେ ଏହାରି ମଧ୍ୟରେ ଶାସକ ଦଳ ବିଜେଡି ପକ୍ଷରୁ ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ପିଜି କରିଛନ୍ତି। ତେବେ ଶାସକ ଦଳ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ଆସନ ବିଜେଡି ହାତକୁ ଯିବା ଯେପରି ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି |

ଡେପୁଟି ମେୟର ପାଇଁ ଦିନ ୧୧ଟାରୁ ୧୨ଟା ଯାଏଁ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ନିଆଯିବ।

ସଂଖ୍ୟା ଦୃଷ୍ଟିରୁ ବିଜେଡି ଡେପୁଟି ମେୟର ପଦ ପାଇବା ଏକ ପ୍ରକାର ନିଶ୍ଚିତ। ୬୭ ଓ୍ୱାର୍ଡ ବିଶିଷ୍ଟ ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ୪୮ଟି ଓ୍ୱାର୍ଡରେ ଜିତିଥିବା ବେଳେ ବିଜେପି ୧୦ ଓ ସ୍ୱାଧୀନ ପ୍ରାର୍ଥୀ ୯ଟିରେ ବିଜୟୀ ହୋଇଥିଲେ |

ଅନ୍ୟପଟେ ନବନିର୍ବାଚିତ ସୁଲୋଚନା ଦାସ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି | ବିଏମ୍‌ସି କନଫରେନ୍ସ ହଲ୍‌ରେ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏଥିସହ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ଶପଥ ନେଇଛନ୍ତି। ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ସମସ୍ତ କର୍ପୋରେଟରଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି।

Related Posts