ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ପିସିସି ସଭାପତି ଦାୟୀ: ବିଧାୟକ ତାରାପ୍ରସାଦ ବାହିନୀପତି

ଭୁବନେଶ୍ୱର: ରାଜ୍ୟରେ ଶେଷ ହୋଇଛି ପୌର ଓ ପଞ୍ଚାୟତ ନିର୍ବାଚନ | ଚଳିତ ନିର୍ବାଚନରେ କଂଗ୍ରେସ କୁ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡିଛି | ପୂର୍ବ ଥର ଠାରୁ ଚଳିତ ଥର କଂଗ୍ରସର ସଂଖ୍ୟା ହ୍ରାସ ପାଇଛି | ତେବେ ଏହାରି ମଧ୍ୟରେ ପରଜୟକୁ ନେଇ ଦଳ ଭିତରେ କନ୍ଦଳ ପୁଣି ଥରେ ଆରମ୍ଭ ହୋଇଯାଇଛି | ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି ବାରମ୍ବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରିଆସୁଛନ୍ତି। ପିସିସି ସଭାପତି ପରିବର୍ତ୍ତନ କରି କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣେ କେହି ସଭାପତି ହୁଅନ୍ତୁ ବୋଲି ଦାବି ରଖୁଥିବାବେଳେ ଶୁକ୍ରବାର ପୁଣି ସେହି କଥା ଦୋହରାଇଛନ୍ତି।

ସେ କହିଛନ୍ତି , ବିଧାୟକଙ୍କ ମଧ୍ୟରୁ ଯିଏବି ସଭାପତି ହୁଅନ୍ତୁ ଆମର ସହମତି ରହିବ। ଏହା ହିଁ ଆମର ଦାବି ବୋଲି ତାରା କହିଛନ୍ତି। ଏହାକୁ ସମର୍ଥନ ଜଣାଇ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଯାହାକୁ ବି ପିସିସି ସଭାପତି କରାଯାଉଛି କରାଯାଉ। ସମସ୍ତେ ତାଙ୍କୁ ମାନୁଥିବା ଏବଂ ସେ ସମସ୍ତଙ୍କ ନେତୃତ୍ଵ ନେଇପାରୁଥିବା ଦରକାର ବୋଲି କହିଛନ୍ତି।

ଜୟପୁର ବିଧାୟକ ତାରା ବାହିନୀପତି ବର୍ତ୍ତମାନର ପିସିସି ସଭାପତିଙ୍କୁ ମାରିଛନ୍ତି ତେର୍ଚ୍ଛା ବାଣ। ଆଉ କହିଛନ୍ତି, ବିଧାୟକଙ୍କ ଭିତରୁ ଜଣକୁ କରାଯାଉ ପିସିସି ସଭାପତି।

ତାରା କହିଛନ୍ତି, ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାଯାଉ। ସିଏ ସୁର ଭାଇ ହୁଅନ୍ତୁ ବା ଅନ୍ୟ କେହି। ଆମେ ତାଙ୍କୁ ସ୍ୱାଗତ କରିବୁ। ଏହା ମୋର ଦାବି। ଜଣେ ବିଧାୟକ ପିସିସି ସଭାପତି ହେଲେ, ସେ କୌଣସି ଜିଲ୍ଲାକୁ ଗଲେ, ସର୍କିଟ୍‌ ହାଉସରେ ରହିବା ପାଇଁ ଜିଲ୍ଲାପାଳଙ୍କୁ କହିଲେ ତାଙ୍କ କଥା ଶୁଣିବେ। ହେଲେ ଅନ୍ୟ କେହି ହେଲେ ତାଙ୍କ କଥା ଶୁଣିବେ ନାହିଁ। କାରଣ ବର୍ତ୍ତମାନ ଆମର ସଙ୍ଗଠନ କିଛି ନାହିଁ। ଜିଲ୍ଲାପାଳମାନେ ଜିଲ୍ଲା ସଭାପତିଙ୍କୁ ବାସି ପାଣିରେ ପଚାରୁ ନାହାନ୍ତି। ସେପରି ସ୍ଥିତିରେ ପିସିସି ସଭାପତି ଜଣେ ବିଧାୟକ ହେଲେ ଭଲ ହେବ। ସେ ସମସ୍ତଙ୍କୁ ଧରି ଚାଲି ପାରିବେ। ଏ ସମ୍ପର୍କରେ ମୋତେ କେହି ପଚାରିଲେ ମୁଁ କହିବି ବୋଲି ତାରା କହିଛନ୍ତି।

Related Posts