ମହାରାଷ୍ଟ୍ରରେ ମହାମେଣ୍ଟକୁ ଲାଗିବ ଝଟ୍‌କା !

ମହାରାଷ୍ଟ୍ରରେ କଂଗ୍ରେସ ନେତୃତ୍ବାଧୀନ ମହାମେଣ୍ଟକୁ ଝଟ୍‌କା ଲାଗିପାରେ । ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସହ ମିଶି କଂଗ୍ରେସ ମେଣ୍ଟ କରିଛି । ଏଥିରେ ଅନ୍ୟ କେତେକ ଦଳ ବି ଅଛନ୍ତି । ସେଥି ମଧ୍ୟରୁ ଗୋଟିଏ ଦଳ ସ୍ୱାଭିମାନୀ ଶେତକର ସଂଗଠନର ଅଧ୍ୟକ୍ଷ ରାଜୁସେଟ୍ଟି ମେଣ୍ଟର ସ୍ଥିତି ନେଇ ଦେଇଛନ୍ତି ନକାରାତ୍ମକ ମନ୍ତବ୍ୟ ।

ରାଜୁ କହିଛନ୍ତି ତାଙ୍କ ଦଳ ଚାରିଟି ଲୋକସଭା ସିଟ୍‌ ଦାବି କରିବ । 4ଟି ଆସନ ନ ମିଳିଲେ ଦଳ ମହାମେଣ୍ଟରୁ ଓହରି ଆସିବ ବୋଲି ଧମକ ଦେଇଛନ୍ତି ରାଜୁ ସେଟ୍ଟୀ । ଅନ୍ୟପଟେ ସେ ତୃତୀୟ ମୋର୍ଚ୍ଚା ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ସମାଜବାଦୀ ପାର୍ଟି ମଧ୍ୟ ମହାରାଷ୍ଟ୍ରରେ ମହାମେଣ୍ଟଠାରୁ ଅଲଗା ହୋଇସାରିଛି ।

ମହାରାଷ୍ଟ୍ରରେ ଏସ୍‌ପି ଦୁଇଟି ଲୋକସଭା ଆସନ ଦାବି କରିଥୁଲେ ବି କଂଗ୍ରେସ ଓ ଏନ୍‌ସିପି ଅଖିଳେଶଙ୍କ ଦଳକୁ ଗୋଟିଏ ବି ସିଟ୍‌ ଦେବାକୁ ରାଜି ହୋଇ ନଥିଲା । ଏହି କାରଣରୁ ଏବେ ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ ମହାମେଣ୍ଟରୁ ଓହରି ଏକୁଟିଆ ୧୦ଟି ଆସନରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଛି ।

ଏ ଦୁଇଟି ଝଟ୍‌କା ଲାଗିବା ପରେ କଂଗ୍ରେସ ପକ୍ଷରୁ କ୍ଷତିଭରଣା କରିବାକୁ ଉଦ୍ୟମ କରାଯାଉଛି । ବରିଷ୍ଠ ନେତା ଅହମ୍ମଦ ପଟେଲ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ମହାମେଣ୍ଟରେ ସାମିଲ୍‌ କରିବା ନେଇ ଆଲୋଚନା କରିଛନ୍ତି ।

Related Posts