ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ମେଘାଳୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟରେ ବିନା ଅନୁମତିରେ ସିବିଆଇ ପଶି ତଦନ୍ତ କରିପାରିବ ନାହିଁ । କାହିଁକିନା ମେଘାଳୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି । କିନ୍ତୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହେଉଥିବା ତଦନ୍ତ ଗୁଡିକ ପାଇଁ ଏହି ଅନୁମତି ନେବା ଆବଶ୍ୟକ ପଡିବ ନାହିଁ । ମେଘାଳୟ ପୂର୍ବରୁ ମିଜୋରାମ ଏବଂ ଏନଡିଏ ଅଣ-ଶାସିତ ସାତୋଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ ଏବଂ କେରଳ ସିବିଆଇ ଯାଞ୍ଚ ପାଇଁ ସହମତି ପ୍ରତ୍ୟାହାର କରିନେଇଥିଲେ । ସେପଟେ ମେଘାଳୟରେ ଥିବା ସରକାରରେ ବିଜେପି ଥିଲେ ବି ପିପୁଲ୍ସ ପାର୍ଟିର ନେତା କୋନରାଡ ସାଙ୍ଗମା ମୁଖ୍ୟମନ୍ତ୍ରୀ ଅଛନ୍ତି।

ଏଜେନ୍ସିର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଏହି ଆଠଟି ରାଜ୍ୟରେ ୧୫୦ଟି ମାମଲାର ତଦନ୍ତ ହୋଇପାରୁନାହିଁ । ଏଥିରେ ବ୍ୟାଙ୍କ ଠକେଇ, ଜାଲିଆତି ଏବଂ ଅର୍ଥ ହଡପ ସହ ଜଡିତ ମାମଲା ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୈସୱାଲ ଏବଂ ଏଜେନ୍ସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ସଂସଦୀୟ କମିଟି ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ। କମିଟି ସୂତ୍ରରୁ ଜଣାପଡିଛି ଯେ ଯେତେବେଳେ କିଛି ସଦସ୍ୟ ସିବିଆଇକୁ ସହମତି ପ୍ରତ୍ୟାହାର ବିଷୟରେ ପଚାରିଥିଲେ, ଏଜେନ୍ସି ଅଧିକାରୀମାନେ ସେମାନଙ୍କୁ ସୂଚନା ଦେଇଥିଲେ ଯେ ଏପର୍ଯ୍ୟନ୍ତ ନଅଟି ରାଜ୍ୟ ସହମତି ପ୍ରତ୍ୟାହାର କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।