
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁରୋପର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ବୋମାମାଡ଼ କଲା ରୁଷ । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏପରିକି ଏନେଇ ଆମେରିକା ଠାରୁ ଆରମ୍ଭ କରି ସମଗ୍ର ୟୁରୋପରେ ହଇଚଇ ସୃଷ୍ଟି ହୋଇଛି । ସେପଟେ ଜାପୋରିଝଝିଆରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ କରିବାରୁ ଏଥିରେ ନିଆଁ ଲାଗି ଯାଇଛି। ଯଦି ଏହାକୁ ଠିକଣା ସମୟରେ ନିୟନ୍ତ୍ରଣ ନ କରାଯିବ, ତା’ହେଲେ ପ୍ଳାଣ୍ଟରୁ ନିର୍ଗତ ହେବାକୁ ଥିବା ନ୍ୟୁକ୍ଲିୟର ବିକିରଣ ସମଗ୍ର ୟୁରୋପକୁ ଛାରଖାର କରିଦେବ ବୋଲି ଆଶାଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ନିଆଁ ଲାଗିଥିଲେ ମଧ୍ୟ ରୁଷ ଏହାକୁ ଲିଭାଉ ନାହିଁ କିମ୍ବା ୟୁକ୍ରେନର ଅଗ୍ନିଶମ କର୍ମଚାରୀଙ୍କୁ ସେଠାକୁ ଛାଡ଼ୁନି।
ଏପରି ଏକ ବିପଦପୂର୍ଣ୍ଣ ମୁହୂର୍ତ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ ସହାୟତା କରିବାକୁ ନିବେଦନ କରିଛନ୍ତି। ୟୁକ୍ରେନର ଏହି ନ୍ୟୁକ୍ଲିୟନ ପ୍ଲାଣ୍ଟ ନିକଟରେ ମିଲିଟାରୀ କାର୍ୟ୍ୟକଳାପ ବନ୍ଦ କରି ରୁଷ ଜରୁରି କାଳୀନ ଟିମ୍କୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଅନୁମତି ଦେଉ ବୋଲି ବାଇଡେନ ଅନୁରୋଧ କରିଛନ୍ତି। ରୁଷ ଗୁଳିମାଡ଼ କରୁଥିବାରୁ ଅଗ୍ନିଶମ କର୍ମଚାରୀ ଓ ଜରୁରୀ ସେବାରେ ନିୟୋଜିତ ଅଧିକାରୀମାନେ ସେଠାକୁ ଯାଇ ପାରୁ ନାହାନ୍ତି। ଫଳରେ ଆଣବିକ ପ୍ଲାଣ୍ଟରେ ନିଆଁ ବ୍ୟାପୁଛି। ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବାର ଆବଶ୍ୟକ ଥିବାରୁ ଜେଲେନସ୍କି ରୁଷର ସହାୟତା ଲୋଡ଼ିଥିଲେ।