ଆରଟିଆଇ ତଥ୍ୟରେ ବଡ଼ ଖୁଲାସା; ଟ୍ରମ୍ପଙ୍କ ଭାରତଗସ୍ତ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି ୩୮ ଲକ୍ଷ ଟଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତଗସ୍ତକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆରଟିଆଇର ତଥ୍ୟ ଅନୁସାରେ ଭାରତ ସରକାର ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ତାଙ୍କର ରହିବା, ଖାଇବା, ଲଜିଷ୍ଟିକ ଖର୍ଚ୍ଚ ସାମିଲ ରହିଛି । ଜଣେ ସୂଚନା ଅଧିକାରକର୍ମୀ ବୈଦେଶିକ ମନ୍ତ୍ରାଳୟରୁ ହାସଲ କରିଥିବା ତଥ୍ୟରେ ଏହା ସାମ୍ନାକୁ ଆସିଛି । ଆରଟିଆଇ ତଥ୍ୟରେ କେନ୍ଦ୍ର ସରକାର କହିଛନ୍ତି ଯେ, ୨୦୨୦ ମସିହା ଫେବୃଆରୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ଖର୍ଚ୍ଚ ବାବଦରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୦ ଫେବୃଆରୀ ୨୪ ଓ ୨୫ ତାରିଖରେ ଡୋନାଲ୍ଡ ଟ୍ରମ୍ପ ନିଜ ପତ୍ନୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ, ଜ୍ୱାଇଁ ଜେରେଡ କୁଶ୍ୱରେଙ୍କ ସହ ଦୁଇଦିନିଆ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଅହମ୍ମଦାବାଦ, ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିଥିଲେ । ଫେବୃଆରୀ ୨୪ରେ ଅହମ୍ମଦାବାଦରେ ୩ ଘଣ୍ଟା ପାଇଁ ରହିଥିଲେ । ଏହା ପରେ ସେ ସେଠାରେ ୨୨ କିଲୋମିଟର ରୋଡ ସୋ କରିଥିଲେ । ସାବରମତୀ ଆଶ୍ରମ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେତେବେଳେ ନବନିର୍ବିତ ମୋଟେରା କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସାମିଲ ହୋଇଥିଲେ । ଏହା ପରେ ସେ ହେଲିକପ୍ଟର ସାହାର୍ଯ୍ୟରେ ଆଗ୍ରାରେ ପହଞ୍ଚିଥିଲେ ଯେଉଁଠାରେ ସେ ତାଜମହଲ ପରିଦର୍ଶନ କରିଥିଲେ । ଫେବୃଆରୀ ୨୫ରେ ସେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ତେବେ ସୂଚନା ଅଧିକାର କର୍ମୀ ମିସାଲ ଭଠେନା ଦ୍ୱାରା ଦାଖଲ ହୋଇଥିବା ଆରଟିଆଇରେ ଟ୍ରମ୍ପଙ୍କ ଏହି ଗସ୍ତରେ ତାଙ୍କର ଖାଦ୍ୟ, ପାନୀୟ, ସୁରକ୍ଷା, ଯାତାୟତରେ କେତେ ଖର୍ଚ୍ଚ ତାରା ହିସାବ ମଗାଯାଇଥିଲା । ୨୦୨୦ ଅକ୍ଟୋବର ୨୪ରେ ଆରଟିଆଇ ମଗାଯାଇଥିଲା । ତେବେ ସେ ସମୟରେ ବୈଦେଶିକ ମନ୍ତ୍ରାଳୟ କୌଣସି ତଥ୍ୟ ଦେଇନଥିଲା । ପରେ ସେ କେନ୍ଦ୍ରୀୟ ସୂଚନା କମିଶନଙ୍କ ପାଖରେ ଅପିଲ କରିଥିଲେ ଯାହା ଫଳରେ ବୈଦେଶିକ ସିଆଇସିଙ୍କୁ ଏହି ତଥ୍ୟ ପ୍ରଦାନ କରିଥିଲେ ।

Related Posts