“ପରଦା ପଛରେ ବଡ ଖେଳ ଚାଲିଛି, ଆଗକୁ ବିହାର ରାଜନୀତିରେ ଆସିବ ଭୂକମ୍ପ”: ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବିହାର ରାଜନୀତି ଉପରେ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ବିହାର ରାଜନୀତିରେ ଆହୁରି ବଡ ଭୂକମ୍ପ ଆସିବାକୁ ଯାଉଛି । ପ୍ରଶାନ୍ତ କହିଛନ୍ତି ବିହାରର ରାଜନୀତି ଯେଉଁଭଳି ଭାବରେ ୧୮୦ ଡିଗ୍ରୀ ଘୁରୁଛି ,ତାହା ବର୍ତମାନ ସମାପ୍ତ ହେବ ନାହିଁ । ସେ ଆହୁରି କହିଛନ୍ତି ଯେ, ବିହାରରେ ଅବଶ୍ୟ ସରକାର ବଦଳିଛନ୍ତି, କିନ୍ତୁ ବଡ ଖେଳ ପରଦା ପଛରେ ଚାଲିଛି । ଆଗକୁ ବିହାର ରାଜନୀତିରେ ଏକ ବଡ଼ ଭୂକମ୍ପ ଆସିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଯଦି ବିହାରରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଉଛି ତେବେ ଏହା ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ । ତେବେ ଖୁବଶିଘ୍ର ନିଜର ରାଜନୈତିକ ଦଳ ଗଠନ କରିବାକୁ ଲକ୍ଷ ରଖିଛନ୍ତି ପ୍ରଶାନ୍ତ। ନିଜର ନୂଆ ରାଜନୈତିକ ଦଳ କୁ ଆଖି ଆଗରେ ରଖି ସେ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।

ତେବେ ବିହାର ରାଜନୀତିରେ ନିଜ ପାଇଁ ସ୍ଥାନ ଖୋଜୁଥିବା ପି.କେ. ପୁଣି ରାଜନୈତିକ ଗୋଟି ଚଲେଇବା ଆରମ୍ଭ କରିଛନ୍ତି । ପ୍ରଶାନ୍ତ ବିହାରରେ ଜାନ-ସୁରଜ ଯାତ୍ରା ଆରମ୍ଭ କରିଛନ୍ତି । ବିହାରରେ ସଂଗଠନ ସହିତ ରାଜନୈତିକ ବିକଳ୍ପ ହେବାକୁ ପ୍ରସ୍ତୁତ ହେଉଥିବା ପ୍ରଶାନ୍ତ କିଶୋର କ୍ରମାଗତ ଭାବରେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରୁଛନ୍ତି ।ତାଙ୍କ ସଂଗଠନକୁ ଏକ ରାଜନୈତିକ ଦଳର ରୂପ ଦେବା ପାଇଁ ପ୍ରଶାନ୍ତ କିଶୋର ବ୍ଲକ ସ୍ତରରେ କମିଟି ଗଠନ କରିବା ଆରମ୍ଭ କରିଛନ୍ତି। ଏହି ଅଭିଯାନ ସେ ଭୌଶାଳୀ ଜିଲ୍ଲାରୁ ଆରମ୍ଭ କରିଛନ୍ତି । ପ୍ରଶାନ୍ତ କିଶୋର ଏହି ଜିଲ୍ଲାର ୩ଟି ବ୍ଲକରେ ରାଜନୈତିକ କମିଟି ଗଠନ କରିଛନ୍ତି । ଏନେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଅନେକ ଲୋକ ରାଜନୌତିକ ବିକଳ୍ପ ହେବା ଏବଂ ଏକ ରାଜନୈତିକ ଦଳ ଗଠନ ପାଇଁ ଅପେକ୍ଷାରେ ଅଛନ୍ତି । ଅନେକ ଲୋକ ପାର୍ଟିରେ ଯୋଗଦେବାକୁ ଚାହାଁନ୍ତି କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଲେ ତାଙ୍କୁ ଟିକେଟ ମିଳିବ ନାହିଁ । ଯିଏ ଦଳରେ ତୁରନ୍ତ ସାମିଲ ହେବ ପାର୍ଟି କେବଳ ସେହି ଲୋକଙ୍କୁ ଟିକେଟ୍ ଦେବ ବୋଲି ସେ କହିଛନ୍ତି । ଯେଉଁମାନେ ପରେ ଯୋଗ ଦେବେ ସେମାନଙ୍କୁ ମଲେଇ ଖାଇବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।

Related Posts