ବିହାର ବାହାରେ ନୀତୀଶଙ୍କୁ ବଡ ଝଟ୍‌କା, ମଣିପୁରରେ ଜେଡିୟୁର ୫ ବିଧାୟକ ବିଜେପିରେ ସାମିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ବିହାର ବାହାରେ ବଡ ଝଟ୍‌କା ଲାଗିଛି । ମଣିପୁରରେ ଜେଡିୟୁର ୫ ଜଣ ବିଧାୟକ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ଭାଜପାରେ ସାମିଲ ହୋଇଥିବା ଜେଡିୟୁ ବିଧାୟକମାନେ ହେଲେ କେଏଚ ଜୟକିଶନ, ଏନ ସନାତେ, ମହମ୍ମଦ ଅଚ୍ଛବଉଦ୍ଦିନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏମ ଖାଉଟେ ଓ ଥାଙ୍ଗଜାମ ଅରୁଣ କୁମାର । ତେବେ ଏଏମ ଖାଉତେ ଓ ଥାଙ୍ଗଜାମ ଅରୁଣ କୁମାର ବିଧାନସଭା ନିର୍ବାଚନରେ ଭାଜପାରୁ ଟିକେଟ ଦାବି କରିଥିଲେ, ହେଲେ ଏଥିରେ ସଫଳ ନ ହେବାରୁ ସେମାନେ ଜେଡିୟୁରେ ସାମିଲ ହୋଇଥିଲେ ।

ମଣିପୁର ବିଧାନସଭାର ସଚିବ କେ ମେଘଜିତ ସିଂଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ କୁହାଯାଇଛି କି ଅଧ୍ୟକ୍ଷ ସମ୍ବିଧାନର ଦଶମ ଅନୁସୂଚି ଆଧାରରେ ଜେଡିୟୁର ୫ ବିଧାୟକଙ୍କୁ ଭାଜପାରେ ସାମିଲ ହେବାକୁ ସ୍ୱୀକାର କରିଛନ୍ତି । ମଣିପୁରରେ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ଜେଡିୟୁ ୩୮ ଆସନରେ ନିଜର ପ୍ରାର୍ଥୀ ଦେଇଥିବା ବେଳେ ଏଥିରୁ ୬ଟି ଆସନରେ ବିଜୟୀ ହୋଇଥିଲା । ଏବେ ୫ ଜଣ ବିଧାୟକ ଭାଜପାରେ ସାମିଲ ହୋଇଥିବା ବେଳେ ଆଉ ଜଣେ ବିଧାୟକ ବର୍ତ୍ତମାନ ଜେଡିୟୁରେ ଅଛନ୍ତି ।

Related Posts