କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ୧୦ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହୋଇ ଆସୁଥିଲେ ଏହି ଡକାୟତ ଦଳ। ଶେଷରେ ଏହି ୧୦ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି ପୁଲିସ।ଏ ନେଇ ଶନିବାର ଅପରାହ୍ନରେ ଭବାନୀପାଟଣାସ୍ଥିତ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ.ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, କୋକସରା, ଆମପାଣି, ଜୟପାଟଣା ଓ ଧର୍ମଗଡ଼ ଥାନା ଅଞ୍ଚଳରେ ହୋଇଥିବା ୧୧ଟି ବଡ଼ ଡକାୟତି ମାମଲାରେ ସଂପୃକ୍ତ ଥିଲେ ଏହି ଡକାୟତ ଦଳ। ଏହି ସବୁ ଥାନା ଅଞ୍ଚଳରେ ସେମାନେ ଡକାୟତ କରି ଖସିଯାଉଥିବାବେଳେ କଳାହାଣ୍ଡି ଏସ୍‌ପିଙ୍କ ନେତୃତ୍ୱରେ ଏହି ଡକାୟତ ଦଳକୁ କାବୁ କରିବା ପାଇଁ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଗିରଫ ହୋଇଥିବା ଏହି ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଖଏରପଦର ଗ୍ରାମର ପରମେଶ୍ୱର ବାଗ(୫୨),ଗୋଲାମୁଣ୍ଡା ଥାନା ପଞ୍ଜିଆ ଗ୍ରାମର ସୋମେଶ୍ୱର ନାଏକ(୫୨),ଖମାରହଲଦୀ ଗ୍ରାମର ରୋହିତ ନିଆଲ(୪୦), ଜୟପାଟଣା ମହାବୀରପଡ଼ାର ଦିନେଶ ବୈଠାରୁ (୩୧),ନବରଙ୍ଗପୁର ଜିଲା ଡଙ୍ଗରଭେଜା ଫାଣ୍ଡି ନିଶାନହାଣ୍ଡି ଗ୍ରାମର ଇମାନୁଲ ଓରଫ ସଲମନ ହରିଜନ(୨୦),କୋଶାଗୁମୁଡ଼ା ଥାନା ଅମ୍ବାଗୁଡ଼ା ଗ୍ରାମର ଜଗନ୍ନାଥ ହରିଜନ(୩୯), ପାପଡ଼ାହାଣ୍ଡି ଥାନା ବରାଦେଇ ଗ୍ରାମର କୁମାର ଓରଫ ଫୁଲୁ ହରିଜନ(୨୨),ଲାଲଧର ହରିଜନ(୫୦) ଓ କୋରାପୁଟ ଜିଲା କୋଟପାଡ଼ ଥାନା ଡଙ୍ଗରୀଗୁଡା ଗ୍ରାମର ଦଳପତି ହରିଜନ(୩୫)। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା,୫ଟି ମୋଟରସାଇକେଲ,୧୧ଟି ମୋବାଇଲ,ସୁନା ୪୦.୩୯୨ ଗ୍ରାମ୍‌, ରୁପା ୪୪୭.୭୪୦ ଗ୍ରାମ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେହିପରି ଏହି ଡକାୟତମାନେ ପୂର୍ବରୁ ମଧ୍ୟ ବଡ଼ବଡ଼ ଡକାୟତରେ ସଂପୃକ୍ତ ରହିଥିବା ଜଣାଯାଇଥିବାବେଳେ ଏମାନଙ୍କଠାରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି।

Related Posts