ଖୁବଶୀଘ୍ର କଂଗ୍ରେସକୁ ଫେରୁଛନ୍ତି ଶ୍ରୀକାନ୍ତ ଜେନା !

ସତ୍ୟପାଠ ବ୍ୟୁରୋ, ୦୭/୦୮ : ଖୁବଶୀଘ୍ର କଂଗ୍ରେସ କୁ ଫେରୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଯିବାପରେ ଶ୍ରୀକାନ୍ତ କଂଗ୍ରେସ କୁ ଫେରିବା ନେଇ ମଝିରେ ମଝିରେ ଚାପା ଖବର ଉଡୁଥିଲା। କିନ୍ତୁ ଠୋସ କିଛି ଖୋରାକ ମିଳୁନଥିଲା।
ରବିବାର ଦିନ ଭୁବନେଶ୍ଵର ବିମାନବନ୍ଦର ଭି ଆଇ ପି ଲାଉଞ୍ଜ ପାଖରେ ଶ୍ରୀକାନ୍ତ ଜେନା ଏବଂ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଙ୍କ ଭେଟ୍ ଘାଟ୍ ର ଫୋଟୋ ଲିକ୍ ହେବାପରେ ଏବେ ଜେନାଙ୍କ ଘରୱାପସି ଚର୍ଚା ଜୋର୍ ଧରିଛି।
ଫୋଟୋ ରେ ଶ୍ରୀକାନ୍ତ ଓ ଦିଗବିଜୟ ଫୋନ୍ ନମ୍ବର ଦିଆନିଆ କରୁଥିବା ଭଳି ଲାଗୁଛି। ଶ୍ରୀକାନ୍ତଙ୍କ ପାଖଲୋକଙ୍କ କହିବା କଥା କି ଦିଗବିଜୟଙ୍କ ଛଡା ଦିଲ୍ଲୀରେ ଅନ୍ୟ ନେତାଙ୍କ ସହ ମଧ୍ୟ କଥାବାର୍ତ୍ତା ଛିଡ଼ିଗଲାଣି।


ଶରତ ପଟ୍ଟନାୟକ ବି ସଭାପତି ହେବାପରେ ପୁରୁଣା କଂଗ୍ରେସ ନେତାଙ୍କୁ ଏକଜୁଟ କରିବା ଦିଗରେ ଲାଗିଛନ୍ତି। ସେ ଦୃଷ୍ଟିରୁ ଶରତଙ୍କ ର ଜେନାଙ୍କ ପ୍ରତ୍ୟାବର୍ତ୍ତନ କୁ ନେଇ ବିରୋଧ ରହିବା ନାହିଁ। ଏହାବ୍ୟତୀତ ଶ୍ରୀକାନ୍ତ ଓ ଭକ୍ତ ଦାସ ଙ୍କ ସମ୍ପର୍କ ଖୁବ୍ ନିବିଡ। ଭକ୍ତ ବି ଦିଲ୍ଲୀରେ ଶ୍ରୀକାନ୍ତଙ୍କ ପାଇଁ କୁଆଡେ ଜୋରରେ ଲବି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ବିମାନ ବନ୍ଦରରେ ଦିଗବିଜୟଙ୍କ ସହ କଥାବାର୍ତ୍ତା ସ୍ପଷ୍ଟ କରୁଛି ଯେ ଶ୍ରୀକାନ୍ତ ଦଳକୁ ଫେରିବାକୁ ପୁରା ତୟାର୍। ହାଇକମାଣ୍ଡ ହଁ କୁ କେବଳ ଅପେକ୍ଷା।
ସୂଚନାଯୋଗ୍ୟ, ୨୦୧୮ ରେ ନିରଞ୍ଜନଙ୍କୁ ବିରୋଧ କରି ଶ୍ରୀକାନ୍ତ ମିଡିଆରେ ଗପୁ ଗପୁ ଭାଗମାପ ଭୁଲ କରିଥିଲେ ବୋଲି ଦଳରୁ ବିଡା ହୋଇଥିଲେ। ଶ୍ରୀକାନ୍ତଙ୍କ ଟାର୍ଗେଟ ଥିଲା ନିରଞ୍ଜନ ମାତ୍ର କହୁ କହୁ ରାହୁଲ ଗାନ୍ଧୀଙ୍କ ନାଆଁ ବି ଯୋଡ଼ି ଦେଇଥିଲେ। ପରିଣାମ ଦଳରୁ ବହିଷ୍କୃତ ହେବାକୁ ପଡ଼ିଥିଲା।
ଏବେ ଯଦି ଶ୍ରୀକାନ୍ତ ପୁଣି କଂଗ୍ରେସ କୁ ଫେରନ୍ତି ତେବେ ଦଳ ଭିତରେ ଖେଳ ଜମିବ ବୋଲି କିଛି ନେତାଙ୍କ ପ୍ରତିକ୍ରିୟା।

Related Posts