ବିହାର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କୃଷି ମନ୍ତ୍ରୀ ସୁଧାକର ସିଂ, ନିଜ ସରକାର ବିରୋଧରେ ଆଣିଥିଲେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର କ୍ୟାବିନେଟରେ କୃଷିମନ୍ତ୍ରୀ ଥିବା ଆରଜେଡି ବିଧାୟକ ସୁଧାକର ସିଂ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ନିଜ ସରକାରଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣି ସେ ଚର୍ଚ୍ଚାକୁ ଆସିଥିଲେ ଏହାପରେ ଆଜି ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।ତେବେ ଗତ କିଛିଦିନ ହେବ ନିଜ ସରକାରଙ୍କ ବିରୋଧରେ ସେ ବାରମ୍ବାର ବୟାନ ଦେଇ ଆସୁଥିଲେ । ଏହାପରେ ଆଜି ସେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସୁଧାକର ସିଂ ଆରଜେଡି ବିହାର ପ୍ରଦେଶ ମୁଖ୍ୟ ଜଗଦାନନ୍ଦ ସିଂଙ୍କ ପୁଅ । ନୀତିଶଙ୍କ ସହ ମେଣ୍ଟ କରି ଆରଜେଡି ସରକାର ଗଠନ କରିବା ପରେ ସୁଧାକରଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା ଏବଂ ତାଙ୍କୁ କୃଷି ବିଭାଗ ମିଳିଥିଲା । ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ବାପା ଜଗଦାନନ୍ଦ ସିଂ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମେଣ୍ଟ ସରକାରରେ ଆରଜେଡି କୋଟାରୁ ମନ୍ତ୍ରୀ ହୋଇଥିବା ସୁଧାକର କିଛିଦିନ ତଳେ ନିଜ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ । ସେ ଏକ ଖୋଲାମଞ୍ଚରେ ବିହାର କୃଷି ବିଭାଗର ଅଧିକାରୀଙ୍କୁ ଚୋର କହିବା ସହ ନିଜକୁ ତାଙ୍କର ସର୍ଦ୍ଦାର ବୋଲି କହିଥିଲେ । ତାଙ୍କର ଏଭଳି ବୟାନକୁ ନେଇ ସେ ସମୟରେ ବିହାର ରାଜନୀତି ବେଶ୍ ସରଗରମ ହୋଇଥିଲା ।ସୁଧାକରଙ୍କ ଏଭଳି ବୟାନକୁ ନେଇ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୂୁମାର ତାଙ୍କୁ ତାଗିଦ୍ ମଧ୍ୟ କରିଥିଲେ। ଏହାପରେ ସୁଧାକର ସିଧାସଳଖ ଭାବେ କ୍ୟାବିନେଟ ବୈଠକରୁ ଉଠି ପଳାଇ ଆସିଥିଲେ ।

Related Posts