ବିଜେପି ପାଇଁ ଅଶୋକ ଅଡ଼ୁଆ !

ଭୁବନେଶ୍ବର : ପୂଜା ଛୁଟି ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ବିଜେପୁରର ପ୍ରଚାର ମଇଦାନରେ ବହୁ ହେଭିୱେଟ୍ ।  ଭୁବନେଶ୍ବରରେ ମଧ୍ୟ ଏହାର ତାତି ଅନୁଭୂତ ହୋଉଛି। ଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ବରିଷ୍ଠ ନେତା ରିପୁନାଥ ସେଠଙ୍କ ମାନଭଞ୍ଜନ କରିଛନ୍ତି । ଅନ୍ୟପଟେ ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳ ତ୍ୟାଗକୁ ଗୁଜବ ବୋଲି କହିଥିଲେ ବି ଅସନ୍ତୋଷ ଝାଡ଼ିବାକୁ ଭୁଲିନାହାନ୍ତି। ବର୍ତ୍ତମାନ ବିଜେପୁରରେ ବିଜେପି ପାଇଁ ଅଡ଼ୁଆ ହୋଇଛନ୍ତି ଅଶୋକ । ବିଜେପିରେ ତାଙ୍କୁ କୌଣସି ଦାୟିତ୍ବ ଦିଆଯାଉନି । ତାଙ୍କୁ ଦଳ କୌଣସି କଥାରେ ଖୋଜୁ ନାହିଁ କି ପଚାରୁ ନାହିଁ । ଏଭଳି ଅଭିଯୋଗ କରି ନିଜର ଅସନ୍ତୋଷ ବ୍ୟକ୍ତି କରିଛନ୍ତି ବିଜେପିର ପୂର୍ବତନ ବିଜେପୁର ବିଧାୟକ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । କଥା ଏତିକିରିରେ ନାହିଁ ପରୋକ୍ଷରେ ବିଜେପି ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ଅଶୋକ । ଦଳୀୟ କର୍ମୀଙ୍କ ନିଷ୍ପତ୍ତି ଯାହା ହେବ ତାହା କରିବି କାରଣ ବିଜେଡି ମୋତେ ପରିଚୟ ଦେଇଛି ବୋଲି କହିଛନ୍ତି ଅଶୋକ । ଏଭଳି ପରୋକ୍ଷରେ ବିଜେପିକୁ ଚେତାବନୀ ବି ଦେଇଛନ୍ତି । ଯଦି ଅଶୋକଙ୍କ ଭିତିରିଆ ସମର୍ଥନ ବିଜେଡି ପ୍ରତି ରହେ ତେବେ ବିଜେପିର ବିଜୟ ଆଶାରେ ଅଶୋକ କଣ୍ଟା ହେବେ ନାହିଁ ତ ? ବିଜେପି ଶିବିରକୁ ଚଳଚଞ୍ଚଳ କରିବା ଲାଗି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରେ ପ୍ରଚାର କରିଛନ୍ତି । ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ସାଧାରଣ ସଭାରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।  ଗୋଟାଏରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ମଧ୍ୟ ରୋଡ ସୋ କରିଛନ୍ତି ଧର୍ମେନ୍ଦ୍ର। ତେବେ ଧର୍ମେନ୍ଦ୍ର ଅଶୋକଙ୍କ ମାନଭଞ୍ଜନ କରିବାରେ କେତେଦୂର ସଫଳ ହେଉଛନ୍ତି ତାହା ଉପରେ ବିଜେପୁରର ବିଜେପି ନେତାଙ୍କ ନଜର ରହିଛି । ଅନ୍ୟପଟେ ବିଜେପୁର ଉପନିର୍ବାଚନରେ ବିଜେଡିକୁ କେହି ଅଟକାଇପାରିବେ ନାହିଁ ବୋଲି ଦଳ ଆଜି ପୁଣି ଜୋର ଦେଇ କହିଛି ।

Related Posts