ଗୋଳନ୍ଥରା ପରେ ଚାନ୍ଦବାଲି: ବିଦ୍ୟୁତ ତାର କବଳରେ ଜୀବନ Published Date: February 10, 2020 (ସତ୍ୟପାଠ ବ୍ୟୁରୋ) ଭଦ୍ରକ: ବିଦ୍ୟୁତ ବିଭାଗର ଚରମ ଅବହେଳା । ଶୋଇଛନ୍ତି ଶକ୍ତି ମନ୍ତ୍ରୀ । ଗୋଳନ୍ଥରା ବସ୍ ଟ୍ରାଜେଡି ଘଟଣାକୁ 24 ଘଣ୍ଟା ନପୂରୁଣୁ ପୁଣି ଛିଡ଼ିଲା ବିଦ୍ୟୁତ୍ ତାର । ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ କୋଇଥକୋଲା ବଜାର ନିକଟରେ ବାଇକ୍ ଉପରେ ଛିଡ଼ି ପଡ଼ିଲା ୧୧ କେଭି ବିଦ୍ୟୁତ୍ ତାର । ଘଟଣାସ୍ଥଳରେ ବାଇକ୍ ଜଳି ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତି ଯାଇଛନ୍ତି 2 ବାଇକ୍ ଆରୋହୀ । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବାଂଶଡା ଥାନାର ଗୁଆଳ ଗାଁର ଦୁର୍ଯ୍ୟୋଧନ ରାଉଳ ଏବଂ ସୁଦର୍ଶନ ଜେନା ବାଇକରେ ଭୋର୍ ୪ଟା ସମୟରେ କୋଇଥକୋଲା ବଜାରକୁ ଆସୁଥିଲେ। ହେଲେ ବଜାର ନିକଟରେ ଥିବା ହନୁମାନ ମନ୍ଦିର ନିକଟରେ ପୂର୍ବରୁ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଉଭୟ । ବିଦ୍ୟୁତ୍ ଝଟକାରେ ଦୁର୍ଯ୍ୟୋଧନ ରାଉଳ ଏବଂ ସୁଦର୍ଶନ ଜେନା ତଳେ ପଡ଼ିଯାଇଥିବା ବେଳେ ବାଇକ୍ ବିଦ୍ୟୁତ ତାରରେ ଲାଗି ରହିଥିଲା ଏବଂ ତାହା ଜଳି ଯାଇଥିଲା। ସେ ଦୁହେଁ ଅବଶ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣା ଘଟିବା ପରେ ସେହି ରାସ୍ତାରେ କିଛି ସମୟ ଲାଗି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଏନେଇ ସୁଦର୍ଶନ ଜେନା ଧାମରା ଥାନା ଲିଖିତ ଅଭିଯୋଗ ପରେ ପୋଲିସ ହସ୍ତକ୍ଷେପ କରିଥିଲା । ଆଉ ବିଦ୍ୟୁତ୍ କଟାଯାଇଥିଲା । କାହିଁକି ଏତେ ତଳେ ଯାଉଛି 11 କେଭି ବିଦ୍ୟୁତ ତାର ? କ’ଣ କରୁଛି ଶକ୍ତି ବିଭାଗ ? ଶକ୍ତି ବିଭାଗର ଅପାରଗତା ପାଇଁ ଘଟୁଛି ବାରମ୍ବାର ଏଭଳି ଦୁର୍ଘଟଣା ଏହାର ଉତ୍ତରଦାୟିତ୍ବ ନେବ କି ଶକ୍ତି ବିଭାଗ ? ଗତକାଲି ଗୋଳନ୍ଥରାରେ ବସ୍ରେ 11 କେଭି ଲାଗି 10 ଜଣଙ୍କ ମୃତ୍ୟୁ ପରେ ବି ମୁହଁ ଖୋଲିନଥିଲେ ଶକ୍ତି ମନ୍ତ୍ରୀ ଏଠି ପ୍ରଶ୍ନ ଉଠୁଛି ବିଦ୍ୟୁତ ବିଭାଗର ଏଭଳି ଅବହେଳାର ଉତ୍ତରଦାୟିତ୍ବ ନେବେ କି ଶକ୍ତି ମନ୍ତ୍ରୀ ସବୁଥିରେ ଆକ୍ଟିଭ ଥିବା 5-ଟି ଇନ୍ଚାର୍ଯ୍ୟ ଶକ୍ତି ବିଭାଗର ଅବହେଳାକୁ ଦେଖୁଛନ୍ତି ନା ନାହିଁ 5-ଟି ଅଧିନକୁ ଶକ୍ତି ବିଭାଗକୁ ଆଣିବେ କି ସରକାର ଗୁରୁତ୍ବପୂର୍ଣ୍ଣ କଥା ହେଲା ସାଧାରଣ ଲୋକଙ୍କଠାରୁ ବକେୟା ଟଙ୍କା ଆଦାୟ ପାଇଁ ରାତିରେ ନିଦ ନଥିବା ବେଳେ ଲୋକଙ୍କ ନିକଟରେ ଉତ୍ତମ ବିଦ୍ୟୁତ ସେବା ପହଞ୍ଚାଇବା ପାଇଁ ଭୁଲିଯାଇଛି ବିଦ୍ୟୁତ ବିଭାଗ ।