ସୂଚନା ଅଧିକାର କର୍ମୀଙ୍କ ହତ୍ୟା ଯୋଜନାବଦ୍ଧ: କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ସୂଚନା ଅଧିକାରକର୍ମୀ ରଞ୍ଜନ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ପିସିସିର ୭ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ମୃତ ରଞ୍ଜନ ଦାସଙ୍କ ପରିବାରକୁ ଭେଟିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଘଟଣାସ୍ଥଳର ପାରିପାଶ୍ୱିର୍କ ସ୍ଥିତି, ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଓ ସୂଚନା ଅଧିକାରରେ ତଥ୍ୟ ମାଗିବା ଯୋଗୁଁ ସରକାରୀ ଦଳ ରାଜନେତା ଓ ସରକାରୀ କର୍ମଚାରୀ ଅତ୍ୟନ୍ତ ଚାପରେ ଥିଲେ। ତେଣୁ ରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅନୁସନ୍ଧାନକାରୀ ଟିମର ପ୍ରତିନିଧି ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଘଟଣାସ୍ଥଳକୁ ଯାଇଥିବା ଏହି ଟିମର ସଦସ୍ୟ କଂଗ୍ରେସ ନେତା ଜିନେଶ ଦାସ କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ସମସ୍ୟା ଓ ଅଧିକାର ପାଇଁ ଲଢ଼ୁଥିବା କର୍ମୀମାନଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ଆସିବା ଉଚିତ୍ । ସେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିବା ସହ ଆସନ୍ତା ସପ୍ତାହରେ କଂଗ୍ରେସ ପ୍ରତିନିଧି ଦଳ ଏହି ଘଟଣାରେ ପୋଲିସ ଡିଜିଙ୍କୁ ଭେଟିବ ବୋଲି ସେ ସୂଚନା ଦେଇଛନ୍ତି ।
Related Posts