ନୂଆଦିଲ୍ଲୀ: ବିଲକିସ୍ ବାନୋଙ୍କ ୧୧ ଦୋଷୀଙ୍କୁ ମୁକ୍ତ କରାଯିବା ଘଟଣାକୁ ନେଇ ସମଗ୍ର ଦେଶରେ ପ୍ରତିବାଦର ସ୍ୱର୍ ଉଠିଛି । ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସମଗ୍ର ଦେଶରେ ବିରୋଧ କରାଯାଉଛି। ତେବେ ଏବେ ଏହି ଘଟଣାକୁ ନେଇ ୧୩୪ ପୂର୍ବତନ ପ୍ରଶାସନିକ ଅଧିକାରୀ ଭାରତର ନୂତନ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କୁ ଏହି ମାମଲାରେ ଚିଠି ଲେଖିଛନ୍ତି। ଚିଠିରେ ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ଭୁଲ୍ ବୋଲି କୁହାଯାଇଛି। ଏହି ନିଷ୍ପତ୍ତିକୁ ସୁଧାରିବାକୁ ଗୁହାରି କରିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ।
ଏହି ଚିଠି ଲେଖିଥିବା ୧୩୪ ଲୋକଙ୍କ ମଧ୍ୟରେ ଦିଲ୍ଲୀର ପୂର୍ବତନ ଉପ ରାଜ୍ୟପାଳ ନଜୀବ ଜଙ୍ଗ, ପୂର୍ବତନ କ୍ୟାବିନେଟ୍ ସଚିବ କେଏମ ଚନ୍ଦ୍ରଶେଖର, ପୂର୍ବତନ ବୈଦେଶିକ ସଚିବ ଶିବଶଙ୍କର ମେନନ, ସୁଜାତା ସିଂହ ଏବଂ ପୂର୍ବତନ ଗୃହ ସଚିବ ଜିକେ ପିଲ୍ଲାଇଙ୍କ ପରି ନାମ ସାମିଲ୍। ସେମାନେ କହିଛନ୍ତି, ଏହି ଦୋଷୀମାନଙ୍କୁ ମୁକ୍ତ କରାଯିବା ଏକ ପ୍ରକାର ଦେଶ ସହିତ ଅତ୍ୟାଚାର। ଆମେ ଏଥିପାଇଁ ଏହି ଚିଠି ଲେଖୁଛୁ କାରଣ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଆମକୁ ଭିତରରୁ ବ୍ୟଥିତ କରିଛି। ଆମେ ମାନୁଛୁ ସୁପ୍ରିମକୋର୍ଟ ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ଏବଂ ଏହାରି ଭିତରେ ହିଁ ନିଷ୍ପତ୍ତିକୁ ସୁଧାରିବାରେ କ୍ଷମତା ରହିଛି।
ସୂଚନାଯୋଗ୍ୟ, ବିଲକିସ୍ ବାନୋଙ୍କ ସହିତ ଯେବେ ଏହି ଘଟଣା ଘଟିଲା ସେହି ସମୟରେ ତାଙ୍କ ବୟସ ମାତ୍ର ୨୧ ବର୍ଷ ହୋଇଥିଲା। ତାଙ୍କ ପରିବାର ସଦସ୍ୟଙ୍କ ସହ ତିନି ବର୍ଷର ଝିଅଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ନିଜ ଚିଠିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଲେଖିଛନ୍ତି, ୭୫ତମ ସ୍ଵାଧୀନତା ଦିବସ ପୂର୍ତ୍ତି ଅବସରରେ ଗୁଜରାଟ ସରକାର ଯେଉଁ ନିଷ୍ପତ୍ତି ନେଲେ ତାହା ଶୁଣି ଆମେ ହତବାକ୍। ତେଣୁ ଆମେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରୁଛୁ ଯେ, ନିଷ୍ପତ୍ତିରେ ସୁଧାର ଆଣନ୍ତୁ। ବିଲକିସ୍ ବାନୋଙ୍କୁ ନ୍ୟାୟ ଦିଅନ୍ତୁ।
