କାହିଁକି ଏ ବନ୍ଧୁତା : ଚାପିବା ପାଇଁ ନା ଧରିବା ପାଇଁ ?

ସତ୍ୟପାଠ ବ୍ୟୁରୋ : ଏଣ୍ଡୁଅ ଶତ୍ରୁ ଠାରୁ ନିଜକୁ ରକ୍ଷା କରିବା ପାଇଁ ରଙ୍ଗ ବଦଳାଏ । କିନ୍ତୁ ରାଜନୀତିରେ ନେତାଏ ଶତ୍ରୁ ସହ ମିତ୍ରତା କରିବାକୁ ରଙ୍ଗ ବଦଳାନ୍ତି । ଏମିତି ଉଦାହରଣର ଅଭାବ ନାହିଁ । କିନ୍ତୁ ଗଲା କିଛିଦିନ ହେଲା ଓଡିଶା ରାଜନୀତିରେ ବିଜେଡି-ବିଜେପିର ସମ୍ପର୍କକୁ ଦେଖିଲେ ଏହା ଯେ ଉକ୍ରୃଷ୍ଣ ଉଦାହରଣ ତାହା ଅବୁଝା ରହୁନାହିଁ । ନିର୍ବାଚନ ପୂର୍ବରୁ ନବୀନ ବାବୁଙ୍କୁ ପୋଡା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରରେ ଭସାଇ ଦେବାକୁ କହିଥିଲା ବିଜେପି । କିନ୍ତୁ ନିର୍ବାଚନ ପରେ ଦୁହେଁ ଶାସକ ବିରୋଧୀ ଅପେକ୍ଷ ବେଶୀ ନିକଟତର ହେଉଥିବା ଦେଖିବାକୁ ମିଳୁଛି । ଖାସ କରି ବିଜେପି ଯେଉଁ କ୍ଷେତ୍ରରେ ବିଜେଡିକୁ ସମର୍ଥନ ମାଗୁଛି ଶଙ୍ଖ ଶିବିର ଅବିଳମ୍ବେ ତାହା ପୁରଣ କରିଦେଉଛି ।

ସଂଶୋଧିତ ଆରଟିଆଇ ବିଲକୁ ଅକୁଣ୍ଠ ସମର୍ଥନ ଦେଲା ବିଜୁ ଜନତା ଦଳ । ନୂଆ ବିଲର ଭୁଲ ଭଟକା କୁ ସଂସଦରେ ଆଲୋଚନା ବେଳେ ଦଳ ବିରୋଧ କଲା କିନ୍ତୁ ଭୋଟିଂ ବେଳେ ସମର୍ଥନ କଲା । ତେବେ ମୋଦି-ନବୀନ ଫୋନକଲ ପାଇଁ ଦଳର ଆଭିମୁଖ୍ୟ ବଦଳିଥିବା ଚର୍ଚ୍ଚା ହେଉଥିବା ବେଳେ ଏହାଦ୍ୱାରା ବିଜେଡି ନିଜ ମୁହଁରେ ନିଜେ କଳା ବୋଳୁଛି ଆଲୋଚନା ହେଉଛି ।

ସଂଶୋଧିତ ଆରଟିଆଇ ବିଲକୁ ବିରୋଧ କରି ଲୋକସଭାରେ ପ୍ରବଳ ବର୍ଷିଲେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ । ରାଜ୍ୟସଭାରେ ବି ସସ୍ମୀତ ପାତ୍ର ଓ ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ । ସଂଶୋଧିତ ବିଲରେ ମୁଖ୍ୟ ସୂଚନା କମିଶନର ଓ ସୂଚନା କମିଶନରମାନଙ୍କ କାର୍ଯ୍ୟକାଳ ହ୍ରାସ ସହ କେନ୍ଦ୍ର ଅଧିନରେ ସେମାନଙ୍କର ଦରମା, ଭତ୍ତା ଆଦି ବ୍ୟବସ୍ଥା ସଂଘୀୟ ଢ଼ାଂଚାକୁ ପ୍ରଭାବିତ କରିବ ବୋଲି ସଂସଦରେ ବିତର୍କ ବେଳେ କହିଲେ ବିଜେଡି ସାଂସଦ । ବିଜୁ ଜନତା ଦଳର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ଲାଗିଲା ସଂଶୋଧିତ ଆରଟିଆଇ ବିଲକୁ ବିରୋଧ କରିବ ବିଜେଡି । କିନ୍ତୁ କଣ ହେଲା କେଜାଣି ଭୋଟିଂ ବେଳେ ଦଳ ତରଫରୁ ସରକାରଙ୍କୁ ଦିଆଗଲା ଅକୁଣ୍ଠ ସମର୍ଥନ । ଭୋଟିଂ ସପକ୍ଷରେ ଭୋଟ ଦେଇ ତୁରନ୍ତ ନିଜ ଆଭିମୁଖ୍ୟ ବଦଳାଇ ଦେଇଥିଲା ବିଜେଡି ।

ବିଲକୁ ସମର୍ଥନ କରିବାକୁ ନବୀନଙ୍କ ସହ ମୋଦି କଥା ହୋଇଥିବା ବରିଷ୍ଠ ସାମ୍ବାଦିକଙ୍କ ଟୁଇଟ ପରେ ରାଜନୀତିରେ ଝଡ ଉଠିଛି । କୁହାଯାଉଛି ରାଜ୍ୟସଭାରେ ବିଲ ପାସ ପାଇଁ ସଂଖ୍ୟାର ଆବଶ୍ୟକତା ଥିବାରୁ ନବୀନଙ୍କ ସମର୍ଥନ ମାଗିଲେ ମୋଦି ଆଉ କିଛି ନଭାବି ରାଜ୍ୟସଭା ନିର୍ବାଚନ ଭଳି ଏଥର ବି ସମର୍ଥନ ଦେଇଦେଲେ ନବୀନ । ରାଜନୀତି ସମୀକ୍ଷକଙ୍କ ମତରେ କେନ୍ଦ୍ରୀୟ ତଦନ୍ତ ଓ ଆର୍ଥିକ ସହଯୋଗ ପାଇଁ ମୋଦିଙ୍କ ପାଖରେ ନିଜକୁ ସମର୍ପଣ କରି ଦେଇଛନ୍ତି ନବୀନ । ଯେଉଁଥିପାଇଁ କିଛି ନଦେଖି କିଛି ନବୁଝି ସମର୍ଥନ ଦେଉଛି ବିଜେଡି ।

ସେପଟେ ନବୀନଙ୍କ ପରିବର୍ତ୍ତିତ ଆଭିମୁଖ୍ୟକୁ ସମାଲୋଚନା କରିଛି କଂଗ୍ରେସ । ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ବିଜୁବାବୁ ଜୀବିତ ଥିଲେ ଏମିତି ନିର୍ଦ୍ଦେଶକୁ ସେ ମାନିନଥାନ୍ତେ । ତେଣେ ବିଜେଡି କହିଛି, ରାଜନୀତି ସହ ଏହାର କିଛି ସମ୍ପର୍କ ନାହିଁ ।

ବଡକଥା ହେଉଛି, ସଂଶୋଧିତ ଆରଟିଆଇ ବିଲରେ ଅକେନ କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ବିରୋଧ ହେଉଛି । ନୂଆବିଲ ଲାଗୁ ହେଲେ ସୂଚନା ଅଧିକାର ଆଇନ କ୍ଷୁର୍ଣ୍ଣ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସାରା ଦେଶର ସୂଚନାଧିକାର କର୍ମୀ । ତଥାପି ମୋଦି ସରକାର ଏହାକୁ ପାସ କରାଇ ନେଇଛନ୍ତି । ତେବେ ବିଲ ବିରୋଧରେ ପ୍ରବଳ ଗର୍ଜୁଥିବା ବିଜେଡି ମାତ୍ର କେଇ ଘଂଟା ଭିତରେ ନିଜର ଆଭିମୁଖ୍ୟ ବଦଳାଇବାକୁ ନେଇ ରାଜନୀତି ଜୋର ହୋଇଛି ।

Related Posts