ତିନି ଜଣଙ୍କୁ ରାଜ୍ୟସଭା ଟିକେଟ

ସତ୍ୟପାଠ ବ୍ୟୁରୋ : ତିନି ରାଜ୍ୟସଭା ପଦ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଦଳ ମୁଖପାତ୍ର ସସ୍ମିତ ପାତ୍ର, ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ ଓ ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ଦଳ ପ୍ରାର୍ଥୀ କରିଛି । ଫଳରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ପାଇଥିବା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଭଳି ବରିଷ୍ଠ ନେତା ଏଥର ନିରାଶ ହୋଇଛନ୍ତି ।

ସବୁଥର ଭଳି ଏଥର ବି ଚକମା ଦେଇଛନ୍ତି ବିଜେଡି ସୁପ୍ରିମୋ । ପ୍ରତିଶ୍ରୁତି ପାଇଥିବା ନେତାଙ୍କ ବଦଳରେ ରାଜ୍ୟସଭାକୁ ଯିବେ ନୂଆ ନେତା । ନିର୍ବାଚନ ସମୟରେ ମିଡିଆକୁ ମ୍ୟାନେଜ କରୁଥିବା ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବେଶ ଖୁସ ନବୀନ । ତେଣୁ ତାଙ୍କ ପରିଶ୍ରମ ପାଇଁ ତାଙ୍କୁ ପୁରସ୍କୃତ କରିଛନ୍ତି ବୋଲି କୁହାଯାଇପାରେ । ସେହିଭଳି ବିଜେଡି ଆଇଟି ସେଲ ବା ସୋସିଆଲ ମିଡିଆ ନିର୍ବାଚନ ଜିତିବା ପଛର ଏକ ବଡ କାରଣ ବୋଲି କୁହାଯାଉଥିଲା । ଦଳ ପାଇଁ ସୋସିଆଲ ମିଡିଆକୁ ଜାଗ୍ରତ କରି ରଖିବା ଓ ବିରୋଧୀଙ୍କୁ ମାତ ଦେବା କାମ କରୁଥିଲେ ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ ।

ତେବେ ଏମାନଙ୍କୁ ରାଜ୍ୟସଭା ଟିକଟ ମିଳିବା ନେଇ ସମ୍ଭାବନା ଥିଲା ତେଣୁ ଆଶ୍ଚର୍ଯ୍ୟ ହେବାରେ ନାହିଁ । କିନ୍ତୁ ତୃତୀୟ ନାମଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସେତୁ ଭଳି ସେ କାମ କରିବେ ବୋଲି କୁହାଯାଉଛି ।

ଆସନ୍ତା ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ ହେବ । ଏନେଇ ଜୁନ ୨୫ରେ ନାମାଙ୍କନ ଦାଖଲ ସରିବ । ୨୬ରେ ଯାଂଚ ପରେ ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଶେଷ ଦିନ ରଖାଯାଇଛି । ଜୁଲାଇ ୫ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ହେବ ଓ ସେହିଦିନ ସଂଧ୍ୟା ୫ଟାରେ ଭୋଟ ଗଣତି କରାଯିବ ।

Related Posts