ଛିଡିଲା ଭାଗ, ବିଜେପିର ଅଶ୍ୱିନୀ

ସତ୍ୟପାଠ ବ୍ୟୁରୋ : ଓଡିଶାର ତିନିଟି ରାଜ୍ୟସଭା ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ତିନିଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ନେଇ ସମସ୍ତେ ଚକିତ ହୋଇଛନ୍ତି । କାରଣ ତୃତୀୟ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବିଜେପି ଟୁଇଟ କରି ଅଶ୍ୱିନୀଙ୍କୁ ନିଜର ପ୍ରାର୍ଥୀ ବୋଲି ଘୋଷଣା କରିଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମକୁ ଅଶ୍ୱିନୀଙ୍କୁ ବିଜେଡି ପ୍ରାର୍ଥୀ ବୋଲି କହିଛନ୍ତି । ଅବଶ୍ୟ କିଛି ସମୟ ପରେ ଅଶ୍ୱିନୀ ବିଜେପି ପ୍ରାର୍ଥୀ ଓ ତାଙ୍କୁ ବିଜେଡି ସମର୍ଥନ କରୁଛି ବୋଲି କହିଛନ୍ତି ନବୀନ ।

ଅଶ୍ୱିନୀ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଅଶ୍ୱିନୀ । ଯିଏ ବାଜପେୟୀଙ୍କ ଖାସ ଥିଲେ ସିଏ ମୋଦିଙ୍କର ବି ଖାସ୍ ଆଉ ନବୀନଙ୍କର ବି ଖାସ୍ । ସେ ଏତେ ଖାସ୍ ଯେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏ ସମସ୍ତେ ତାଙ୍କୁ ରାଜ୍ୟସଭା ପଠାଇବାକୁ ତତ୍ପର ଆଉ ଆଗ୍ରହୀ ।

ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ କାହାର ? ବିଜୁ ଜନତା ଦଳର ନା ଭାରତୀୟ ଜନତା ପାର୍ଟିର, ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ । କାରଣ ଦୁଇ ଦଳ ତାଙ୍କୁ ନିଜର ପ୍ରାର୍ଥୀ ବୋଲି କହିଛନ୍ତି । ଯେତେବେଳେ ୨୦୧୭ରେ ବିଷ୍ଣୁ ଦାସ ଇସ୍ତଫା ରାଜ୍ୟସଭାରୁ ଇସ୍ତଫା ଦେଲେ ସେତେବେଳେ ମଧ୍ୟ ଅଶ୍ୱିନୀଙ୍କ ନାଁ ଚର୍ଚ୍ଚା ହୋଇଥିଲା । କିନ୍ତୁ ସେତେବେଳେ ତାଙ୍କ ବଦଳରେ ପ୍ରତାପ ଦେବଙ୍କୁ ରାଜ୍ୟସଭା ପଠାଇଥିଲା ବିଜେଡି । ଆଉ ତା ପରେ ଅଶ୍ୱିନୀଙ୍କ ନାଁ କେବେ ଚର୍ଚ୍ଚା ହୋଇନି କି ଗଣମାଧ୍ୟମରେ ଏ ନାଁଟି ଆଦୌ ଚର୍ଚ୍ଚାକୁ ଆସି ନାହିଁ ।

ଅତ୍ୟନ୍ତ ବିଶ୍ୱସ୍ତ ସୂତ୍ରରୁୁ ମିଳିଥିବା ଖବର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନବୀନ ଯେତେବେଳେ ଦିଲ୍ଲୀରେ ସାକ୍ଷାତ କରିଥିଲେ ସେତେବେଳେ ଅଶ୍ୱିନୀଙ୍କ ନାଁ ପ୍ରସ୍ତାବ ରଖିଥିଲେ ମୋଦି । ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ତାଙ୍କୁ ସମର୍ଥନ କରିବାକୁ ମୋଦି ଓ ଶାହା ଅନୁରୋଧ କରିଥିଲେ । ନୂଆଦିଲ୍ଲୀ ସହ ନବୀନଙ୍କ ନିବିଡତା ଧିରେଧିରେ ବଢ଼ୁଥିବା ବେଳେ ଏବେ ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କୁ ଦଳର ସମର୍ଥନ ଏହା ସ୍ପଷ୍ଟ କରି ଦେଇଛି ।

ବିଜନେସ୍ ଡେଭଲପମେଂଟ, ଇନଫ୍ରାଷ୍ଟକଚର ଫାଇନାନ୍ସ ଓ ପ୍ରୋଜେକ୍ଟ ମ୍ୟାନେଜମେଂଟରେ ତାଙ୍କର ବିଶେଷ ଜ୍ଞାନ ରହିଛି । ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ସେ କଟକର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ୧୦ ମାସ ପାଇଁ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟ କରିଥିଲେ ।   ବୋଧହୁଏ ଭାରତର ଏ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ ଯାହାଙ୍କୁ ଦୁଇ ବିରୋଧି ରାଜନୈତିକ ଦଳ ନିଜର ବୋଲି କହୁଛନ୍ତି । ଅଶ୍ୱିନୀ ଏବେ ବିଜେଡି-ବିଜେପିର ଗେଟୱେ ହେବେ ବୋଲି କୁହାଯାଉଛି ।

Related Posts