କ୍ଷମତା ମୁଣ୍ଡକୁ ଚଢ଼ିଲେ କଣ ହୁଏ

ସତ୍ୟପାଠ ବ୍ୟୁରୋ : କୁହାଯାଏ ପାୱାର ଯଦି ମୁଣ୍ଡକୁ ଚଢ଼ିଯାଏ ତେବେ ମଣିଷ ନିଜକୁ ଚିହ୍ନି ପାରେନି । ବୋଧହୁଏ ଏମିତି କିଛି ଘଟିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ କ୍ଷେତ୍ରରେ । କ୍ଷମତାର ନିଶା ବାବୁଙ୍କୁ ଏତେ ଚଢ଼ି ଯାଇଛି ଯେ, ସେ ନିଜକୁ ଭଗବାନ ବୋଲି ବି କହିବାକୁ ପଛାଉ ନାହାଁନ୍ତି ।

ମନ୍ତ୍ରୀ ମହୋଦୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏମିତି କିଛି ବୟାନ ଦେଇଛନ୍ତି ଯାହା ସବୁଠି ଚର୍ଚ୍ଚା ଚାଲିଛି । ଗତ ବୁଧବାର ମିଡିଆକୁ ସମ୍ବୋଧନ କଲାବେଳେ ସୁଦାମ କହିଥିଲେ ପ୍ରଥମେ ବଡାମ ଠାକୁରାଣୀ, ତା ପରେ ଯାଇ ଶ୍ରୀ ଜଗନ୍ନାଥ । ମୁଖ୍ୟମନ୍ତ୍ରୀ ଓ ନିଜ ଭିତରର ଫରକୁ ବୁଝାଇବାକୁ ଯାଇ ସୁଦାମ ଏମିତି ଉଦାହରଣ ଦେଇଛନ୍ତି । କହିଛନ୍ତି ପ୍ରଥମେ ସେ, ତା ପରେ ଯାଇ ମୁଖ୍ୟମନ୍ତ୍ରୀ । ଯେହେତୁ ସେ ସ୍ଥାନୀୟ ଲୋକପ୍ରତିନିଧୀ ତେଣୁ ଲୋକେ ପ୍ରଥମେ ତାଙ୍କ ପାଖକୁ ଆସିବା ଦରକାର ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ ।

ମନ୍ତ୍ରୀ ମାରାଣ୍ଡିଙ୍କର ଏହି ବୟାନ ପୁରା ଜିଲ୍ଲା ରାଜନୀତିକୁ ହୁଲସ୍ତୁଲ କରିଛି । ନିଜକୁ ଆଦିବାସୀ ଠାକୁରାଣୀ ବଡାମ ଠାକୁରାଣୀଙ୍କ ସହ ତୁଳନା କରି ସୁଦାମ ନିଜ ଅଜ୍ଞତା ଦେଖାଇଛନ୍ତି ବୋଲି ଜିଲ୍ଲା ବିଜେପି କହିଛି । ତାଙ୍କର ଏହି ବୟାନ ତାଙ୍କ ଅଂହକାରକୁ ସ୍ପଷ୍ଟ କରୁଛି ବୋଲି କହିଛି ବିଜେପି ।

ସୂଚନାଯୋଗ୍ୟ, ବାରିପଦା ହରି ବଳଦେବ ଜୀଉ ମନ୍ଦିରର ସେବାୟତ ଓ କିଛି ସ୍ଥାନୀୟ ଲୋକେ ୮ ଦଫା ଦାବୀ ନେଇ ବାରିପଦାରୁ ନବୀନ ନିବାସ ଯାଏଁ ପଦଯାତ୍ରାରେ ଯାଇଥିଲେ । ଏନେଇ ସୁଦାମଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧୀ । କିନ୍ତୁ ସୁଦାମଙ୍କର ଉତ୍ତର ଥିଲା ସେମାନେ ପ୍ରଥମେ ବଡାମ ଠାକୁରାଣୀ ଅର୍ଥାତ ତାଙ୍କ ପାଖକୁ ଆସିବାର ଥିଲା , ପରେ ଜଗନ୍ନାଥ ମାନେ ନବୀନଙ୍କ ପାଖକୁ ଯାଇ ପାରିଥାନ୍ତେ ।

Related Posts