ଏଠୁ ବି ରାଜନୈତିକ ଫାଇଦା ଦରକାର ?

ସତ୍ୟପାଠ ବ୍ୟୁରୋ : ସବୁଠୁ ରାଜନୈତିକ ଫାଇଦା ନେବାର ମାନସିକତା ଏତେ କଳୁଷିତ ହୋଇ ଯାଇଛି ଯେ ଶେଷରେ ସହିଦଙ୍କୁ ବି ଛଡାଗଲାନି । ଜଣେ ଦେଶ ପାଇଁ ଜୀବନ ଦେଇଛି କିନ୍ତୁ ତା ଦେହରେ ତ୍ରିରଙ୍ଗା ଉପରେ ପକାଇଦେଲେ ଦଳୀୟ ପତାକା । ଏ ରୁଗ୍ଣ ମାନସିକତା ନ ହୋଇଥିଲେ ଏ କାମ କେମିତି କରାଯାଇ ଥାଆନ୍ତା । ହୁଏତ ସେମାନେ ଭାବିଥିବେ, ସାରା ଦେଶ ତ୍ରିରଙ୍ଗା ସ୍ଥାନରେ ଶଙ୍ଖ ପତାକା ଦେଖୁ…

ସହୀଦ ଓଡିଆ ଯବାନ ଅଜିତ ସାହୁଙ୍କ ମରଶରୀରରେ ବିଜେଡି ପତାକା । ତ୍ରିରଙ୍ଗା ଉପରେ ଦଳୀୟ ପତାକା ପଡିବା ନେଇ ତୀବ୍ର ହେଉଛି ରାଜନୀତି ଆଉ ବିଷୋଦଗାର । ଶାସକ ବିଜୁ ଜନତା ଦଳକୁ ଏନେଇ ଟୁଇଟରରେ କଟୁ ସମାଲୋଚନା କରିଛନ୍ତି ସାଧାରଣ ଲୋକେ ।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ଢ଼େଙ୍କାନାଳର ଅଜିତ ସାହୁଙ୍କ ମରଶରୀର ଗତକାଲି ଗାଁକୁ ଯାଉଥିଲା । କଟକ ପରେ ଖୁଣ୍ଟୁଣି ଛକ ଠାରେ କିଛି ବିଜେଡି କର୍ମୀ ଓ ନେତା ସହିଦ ଜବାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଠିକ୍ ଏହି ସମୟରେ କେହି ଜଣେ ମରଶରୀର ଉପରେ ବିଜେଡିର ଶଙ୍ଖଚିହ୍ନ ମାର୍କା ଦଳୀୟ ପତାକା ପକାଇ ଘୋଡାଇ ଦେଇଥିଲେ ।

ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଥିବା ଭାଇର ଦେହ ଉପରେ ତ୍ରିରଙ୍ଗା ବଦଳରେ ବିଜେଡି ପତାକା ପଡିବା ଭଲ ଲାଗି ନଥିଲା ଅଜିତଙ୍କ ଭାଇଙ୍କୁ । ଫଳରେ ତୁରନ୍ତ ସେ ଦଳୀୟ ପତାକାକୁ ଫିଙ୍ଗି ଦେଇଥିଲେ । କିନ୍ତୁ ମରଶରୀରରେ ଶଙ୍ଖ ପତାକା ପଡିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

 

ଏହାକୁ ନେଇ ଜୋର ହେଉଛି ବିରୋଧ । ପ୍ରଥମେ ଟୁଇଟ କରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଘେରିଥିଲେ ଶାସକ ଦଳକୁ । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ତୁରନ୍ତ ବିଜେଡି କ୍ଷମା ମାଗୁ ବୋଲି ଅପିଲ କରିଥିଲେ । ଶାସକ ବିଜେଡିର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ବିଜେପି ପୂର୍ବତନ ସୈନିକ ପ୍ରକୋଷ୍ଠ ସଂଯୋଜକ କର୍ଣ୍ଣେଲ ବିରେନ୍ଦ୍ର କୁମାର ବସ୍ତିଆ ।

ଟୁଇଟରରେ ବିଜେଡିର ଏଭଳି କାର୍ଯ୍ୟକୁ ଧୁଲେଇ ହୋଇଛି । ପଢ଼ନ୍ତୁ କିଏ କଣ କହିଛନ୍ତି ।

ସେପଟେ ତୀବ୍ର ବିରୋଧ ପରେ ମୁହଁ ଖୋଲିଛି ବିଜେଡି । ଦଳ ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହା ଦୁର୍ଭାଗ୍ୟଜନକ । ବିଜେଡି ଏହାର ନିନ୍ଦା କରୁଛି ଓ କିଏ ଏହି କାର୍ଯ୍ୟ କରିଛି ତାହା ଦଳ ଅନୁଧ୍ୟାନ କରୁଛି । ଖୁବଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Related Posts