(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର ; କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମିଶନ ୨୦୨୪ ଅର୍ଥାତ୍ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଶୁକ୍ରବାର ଦିନ ସେ ୧୯ଟି ବିରୋଧୀ ଦଳର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଯୋଗେ ଏକ ବୈଠକ କରିବା ସହ ସମସ୍ତଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଇଛନ୍ତି। ସେ ବିରୋଧୀ ଦଳଗୁଡ଼ିକ କେବଳ ସଂସଦ ଭିତରେ ନୁହେଁ, ବରଂ ବାହାରେ ମଧ୍ୟ ଏକାଠି ହୋଇ ବିଜେପି ବିରୋଧରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି ଯେ, ‘ଆମ ସମସ୍ତଙ୍କର ନିଜ ନିଜର ସୀମା ଅଛି, କିନ୍ତୁ ଦେଶର ସ୍ୱାର୍ଥରେ ଏହି ଜିନିଷଗୁଡ଼ିକଠାରୁ ଉର୍ଦ୍ଧ୍ୱକୁ ଆସିବାର ସମୟ ଆସିଛି। ଏହା ଏକ ଚ୍ୟାଲେଞ୍ଜ କିନ୍ତୁ ଆମକୁ ଏକ ହୋଇ କାମ କରିବାକୁ ହେବ। କାରଣ ଏକାଠି କାମ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଦେଶର ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଏବଂ ସମ୍ବିଧାନର ସିଦ୍ଧାନ୍ତ ଉପରେ ବିଶ୍ୱାସ କରୁଥିବା ଦେଶରେ ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ବିରୋଧୀ ଦଳମାନଙ୍କୁ କହିଥିଲେ। ସୋନିଆ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ , ବିରୋଧୀ ଦଳଗୁଡ଼ିକ ଗୋଟିଏ ସ୍ୱରରେ ଦାବି କରିବାରୁ ସରକାର ବାଧ୍ୟ ହୋଇ ଓବିସି ଆଇନରେ ସଂଶୋଧନ ପ୍ରସ୍ତାବ ସଂସଦରେ ଆଗତ କରିଥିଲେ।
ସୂଚନାଯୋଗ୍ୟ ଯେ ଟିକାକରଣ ରଣନୀତି, ୩ଟି ଚାଷୀ ବିରୋଧୀ କୃଷି ଆଇନର ଉଚ୍ଛେଦ ଓ ଗରିବଙ୍କୁ ମାଗଣା ରାସନ ଦେବାକୁ ବିରୋଧୀ ଏକାଠି ହୋଇ ପିଏମଙ୍କୁ ଚିଠି ଲେଖି ଥିଲେ। ସୋନିଆ ଗାନ୍ଧି ୨୦୨୪ ସମସ୍ତଙ୍କର ଅନ୍ତିମ ଟାର୍ଗେଟ ହେବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ।
ସୋନିଆ କେନ୍ଦ୍ର ସରକାରଙ୍କୁ ପେଗାସସ୍ ଜାସୁସି , ଦର ବୃଦ୍ଧି, କୃଷି ଆଇନ ପ୍ରତ୍ୟାହାର, ବିଭିନ୍ନ ସାମ୍ବିଧାନିକ ସଂସ୍ଥାର ଅପବ୍ୟବହାର ଓ ସଂଘୀୟ ବ୍ୟବସ୍ଥା ଉପରେ ହେଉଥିବା ଆକ୍ରମଣ ଇତ୍ୟାଦି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ବାରମ୍ବାର କହିଥିବା ବିରୋଧୀଙ୍କ ବୈଠକରେ ସୂଚନା ଦେଇଛନ୍ତି।
ସୋନିଆଙ୍କ ଏହି ବୈଠକରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଜେଏମ୍ଏମ୍ ରୁ ହେମନ୍ତ ସୋରେନ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ଆରଜେଡିର ତେଜସ୍ୱୀ ଯାଦବ, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ, ଆରଏସ୍ପି, ଏନସି ଓ ବାମପନ୍ଥୀ ଦଳର ନେତାମାନେ ଯୋଗ ଦେଇଥିଲେ। ତେବେ ବିଏସ୍ପି, ସମାଜବାଦୀ ପାର୍ଟି ଓ ଆପ୍ର କୌଣସି ନେତା ସୋନିଆଙ୍କ ବୈଠକରେ ଯୋଗଦେଇ ନଥିଲେ।