ଉତ୍ତର ପ୍ରଦେଶ ଓ ଗୋଆରେ ପୁଣି ବିଜେପି ସରକାର ! ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗରେ

ଆଜି ପ୍ରକାଶ ପାଇଁ ୫ ବିଧାନସଭା ନିର୍ବାଚନ ଫଳାଫଳ | ତେବେ ଏନେଇ ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ, ଉତ୍ତର ପ୍ରଦେଶ ଓ ଗୋଆରେ ବିଜେପି ଆଗରେ ରହିଛି | ଉତ୍ତର ପ୍ରଦେଶର ୪୦୩ଟି ବିଧାନସଭା ଆସନରୁ ଏବେ ସୁଦ୍ଧା ୩୭୮ଟିରେ ଗଣତି ଚାଲିଛି। ଏହା ମଧ୍ୟରୁ ବିଜେପି ୨୪୯ଟି ଆସନରେ ଆଗରେ ଥିବା ବେଳେ ମୁଖ୍ୟ ବିରୋଧୀ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୦୯ଟି ଆସନରେ ଲିଡ୍‌ କରୁଛି। କଂଗ୍ରେସ ୮ଟି, ବିଏସ୍‌ପି ୮ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ଚାଲିଛନ୍ତି।

ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨। ତେଣୁ ବିଜେପି ଅତି ସହଜରେ ପୁଣି ଉତ୍ତର ପ୍ରଦେଶରେ ସରକାର ଗଠନ କରିବ ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ଗୋଆ କଥା ବିଚାରକୁ ନେଲେ, ଏଠାରେ ମଧ୍ୟ ବିଜେପି ମ୍ୟାଜିକ ନମ୍ବର ହାସଲ କରି ନେଇଛି। ଗୋଆର ସମସ୍ତ ୪୦ଟି ଆସନରେ ଏବେ ଗଣତି ଚାଲିଛି। ଏହା ମଧ୍ୟରୁ ବିଜେପି ୨୧ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୧୧, ଟିଏମସି ୪ଟି, ଆପ ଗୋଟିଏ, ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ରହିଛନ୍ତି।

Related Posts