ଧାମନଗର ଉପନିର୍ବାଚନ; ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଭର୍ଚୁଆଲ ମାଧ୍ୟମରେ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲ୍ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି। ଧୁଷୁରୀ, ଅସୁରାଳି, ଦୋବଲ, ଧାମନମଗର ଓ ତିହିଡ଼ିର ୧୩ଟି ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଏହି ସବୁ ସ୍ଥାନରେ ମହିଳାମାନେ କିପରି ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବେ ସେଥିଲାଗି ଦଳ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କର ଉପସ୍ଥିତି ଯେପରି ଅଧିକ ରହିବ, ସେଥିଲାଗି ଧାମନଗରରେ ଥିବା ସମସ୍ତ ଏସ୍ଏଚଜି ଗ୍ରୁପକୁ କୁହାଯାଇଛି।

ଅନ୍ୟପଟେ ମଝିରେ ଆଉ ମାତ୍ର ୨ ଦିନ ଏହାପରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ପଡ଼ିବ ସେଥିପାଇଁ ଏବେ ଜୋରଦାର ପ୍ରଚାର ଚାଲିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ସବୁ ଦଳର ଆଗ ଧାଡ଼ିର ନେତା ଧାମନଗରରେ ଡେରା ପକାଇବା ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କୀ ବାତ’ କାର୍ଯ୍ୟକ୍ରମ ଜରିଆରେ ବିଜେପି ପ୍ରଚାର କରିଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଲୋକଙ୍କ ଗହଣରେ ରହି ମନ କୀ ବାତ୍ ଶୁଣାଇଛନ୍ତି। ବିଜେଡିର ହେଭିୱେଟ୍ ନେତାମାନେ ମଧ୍ୟ ଗତକାଲି ରୋଡ୍ ଶୋ’ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ଲାଗି ଭୋଟ ମାଗିଛନ୍ତି। ସେହିପରି କଂଗ୍ରେସର ପ୍ରଚାର ମଇଦାନରେ ଗତକାଲି ଦଳୀୟ ଉପସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଦେଖିବାକୁ ମିଳିଥିଲା। ସେପଟେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ସମର୍ଥକଙ୍କ ଗହଣରେ ଧାମନଗରର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା।

Related Posts