ଫିଲ୍ମ ନିର୍ମାତା ଐଶା ସୁଲତାନାଙ୍କ ନାଁରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ବିଜେପିରୁ ଇସ୍ତଫା ଦେଲେ ବିଜେପି ନେତା ଓ କର୍ମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲାକ୍ଷାଦ୍ଵୀପ ବିବାଦ ଏବେ ବିଜେପିକୁ ଭାରି ପଡିଛି। ଶୁକ୍ରବାର ଦିନ ଏକା ସାଙ୍ଗରେ ଦଳର ଅନେକ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲରେ ଏକ ବିତର୍କ ସମୟରେ ପ୍ରଫୁଲ୍ଲ ଖେଡା ପଟେଲ ଲାକ୍ଷାଦ୍ୱୀପରେ କରୋନାକୁ ବାୟୋୱିପନ ଭାବେ ବ୍ୟବହାର କରୁଥିବା କହି ବିବାଦ ଘେରକୁ ଆସିଥିବା ଫିଲ୍ମ ନିର୍ମାତା ଐଶା ସୁଲତାନାଙ୍କୁ ନେଇ ଏବେ ବିଜେପିରେ ବିଦ୍ରୋହ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଘଟଣାକୁ ନେଇ ଖୋଦ ଲାକ୍ଷାଦ୍ଵୀପ ଭାରତୀୟ ଜନତା ପାର୍ଟି ୟୁନିଟ୍ ଭିତରୁ ବିରୋଧ କରାଯାଇଛି। ମିଥ୍ୟା ଓ ଅନ୍ୟାୟ ଭାବେ ସୁଲତାନାଙ୍କ ନାଁରେ ଦେଶଦ୍ରୋହ ରୁଜୁ କରାଯାଇଥିବା ଅଭିଯୋଗ କରି ଲାକ୍ଷାଦ୍ୱୀପର ଏକାଧିକ ବିଜେପି ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଲାକ୍ଷାଦ୍ୱୀପ ବିଜେପି ୟୁନିଟର ମୁଖ୍ୟ ସି ଅବଦୁଲ ଖାଦରଙ୍କୁ ଦଳର ୧୨ ଜଣ ନେତା ଓ କର୍ମୀ ଚିଠି ଲେଖି ସୁଲତାନାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ମିଥ୍ୟା ଓ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହା ଐଶା ସୁଲତାନାଙ୍କ ଭବିଷ୍ୟତକୁ ନଷ୍ଟ କରିବା ପାଇଁ କରାଯାଇଛି ।ଏହି ଚିଠିରେ କୁହାଯାଇଛି ଯେ ପ୍ରଶାସକ ଫ୍ରଫୁଲ୍ଲ ପଟେଲ ଆଣିଥିବା ବିବାଦୀୟ ଆଇନ ସଂପୂର୍ଣ୍ଣ ଭାବେ ଜନ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ। ଏହି ପଦକ୍ଷେପ ଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଦ୍ୱୀପପୁଞ୍ଜର ବିଜେପି କର୍ମୀମାନେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି। ଏବଂ ଆପଣ ଭଲ ଭାବେ ଜାଣନ୍ତି ଯେ ଏକାଧିକ ବିଜେପି ନେତା ଆଡମିନଷ୍ଟ୍ରେଟର ଓ ଜିଲ୍ଲାପାଳମାନେ ନେଉଥିବା ଭୁଲ ପଦକ୍ଷେପକୁ ବିରୋଧ କରିଛନ୍ତି। ସୁଲତାନାଙ୍କ ବିରୋଧରେ ହାଜିଙ୍କ ଦ୍ବାରା ପୁଲିସରେ ଅଭିଯୋଗ କରାଯାଇଥିଲା। ହାଜି ତାଙ୍କ ଅଭିଯୋଗରେ କହିଥିଲେ ଯେ ସୁଲାତାନା ରାଷ୍ଟ୍ର ବିରୋଧୀ ମନ୍ତବ୍ୟ ଏବଂ “କେନ୍ଦ୍ର ସରକାରଙ୍କ ଦେଶପ୍ରେମ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ୍ ତାଙ୍କ ନାଁରେ ଗତକାଲି ଦେଶଦ୍ରୋହ ଦଫା ଲଗାଇ ମାମଲା କରିଥିଲା। ବର୍ତ୍ତମାନ ଖୋଦ୍ ବିଜେପି ନେତାମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ସୁଲାତାନା
କେବଳ ଦ୍ୱୀପପୁଞ୍ଜର ଲୋକଙ୍କ ଅଧିକାର ଏବଂ ପ୍ରଶାସକଙ୍କ “ଅବୈଜ୍ଞାନିକ ଏବଂ ଦାୟିତ୍ବହୀନ ନିଷ୍ପତ୍ତି” ବିଷୟରେ କହୁଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଲାକ୍ଷାଦ୍ୱୀପ ବିଜେପିର ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିଫୁଜା ଅଛନ୍ତି। ସେ କହିଛନ୍ତି ଯେତେବେଳେ ଦଳ ଦ୍ବୀପପୁଞ୍ଜର ଲୋକଙ୍କ ପାଇଁ କାମ କରିବ ନାହିଁ , ସେତେବେଳେ ଆମେ କାହିଁକି ଏହି ପାର୍ଟିରେ ରହିବୁ ? ଏହାପୂର୍ବରୁ ଲକ୍ଷାଦ୍ୱୀପ ବିଜେପିର ୮ ଜଣ ସଦସ୍ୟ ମେ’ ମାସରେ ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଦଳରୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ, ଭାରତରେ ଲାକ୍ଷାଦ୍ୱୀପ ଏକମାତ୍ର ସ୍ଥାନ ଥିଲା ଯେଉଁଠି ପ୍ରାୟ ଏକ ବର୍ଷ ଧରି ଶୂନ କରୋନା ମାମଲା ଥିଲା। କିନ୍ତୁ ଜାନୁଆରୀ ୧୮ ରେ ଏଠାରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା। ତେବେ ଏଥିପାଇଁ ସେଠାକାର ବାସିନ୍ଦା ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟୀ କରୁଛନ୍ତି।

Related Posts